Categories: ଖେଳ

ଖେଳକୁ ଲୋକେ ଭଲ ପାଉଥିବାରୁ ଓଡ଼ିଶାରେ ବଡ଼ ଇଭେଣ୍ଟ ସମ୍ଭବ ହୋଇପାରୁଛି: ରିଜିଜୁ

ଭୁବନେଶ୍ୱର,୨।୧୧(କ୍ରୀଡ଼ା ପ୍ରତିନିଧି)-ଅଲିମ୍ପିକ୍‌ କ୍ବାଲିଫାୟର୍ସରେ ଉଭୟ ଭାରତୀୟ ମହିଳା ଓ ପୁରୁଷ ଦଳକୁ ଉତ୍ସାହିତ କରିବା ପାଇଁ ମୁଁ ଭୁବନେଶ୍ୱର ଆସିଛି। ହକିରେ ଭାରତ ତା’ର ହୃତ୍‌ ଗୌରବ ଫେରି ପାଇବ ବୋଲି ମୋର ଆଶା। ଏଥର ମହିଳା ଓ ପୁରୁଷ ହକି ଦଳ ୨୦୨୦ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିବେ ବୋଲି ମୁଁ ଦୃଢ଼ ଆଶାପୋଷଣ କରୁଛି। ଏହା ଏକ ସମ୍ମାନଜନକ ପ୍ରତିଯୋଗିତା ହୋଇଥିବାରୁ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଭାବେ ଦଳକୁ ଉତ୍ସାହିତ କରିବା ମୋର କର୍ତ୍ତବ୍ୟ ବୋଲି ଅନୁଭବ କରୁଛି। ଓଡ଼ିଶା ସରକାର ଗତ କିଛି ବର୍ଷ ଧରି ବିଭିନ୍ନ କ୍ରୀଡ଼ାକୁ ଯେପରି ସମର୍ଥନ କରୁଛନ୍ତି ତାହାକୁ ଯେତେ ପ୍ରଶଂସା କଲେ ମଧ୍ୟ କମ୍‌ ହେବ। ସ୍ଥାନୀୟ ସରକାରଙ୍କ ଭରପୂର ସମର୍ଥନ ଯୋଗୁ ଓଡ଼ିଶାକୁ ଏପରି ଅନ୍ତର୍ଜାତୀୟ ମ୍ୟାଚ ଆୟୋଜନ ଅଧିକାର ମିଳିପାରୁଛି। ଓଡ଼ିଶାର ଲୋକମାନେ ଖେଳପ୍ରିୟ, ତେଣୁ ଆବଶ୍ୟକ ସ୍ଥଳେ ଆମେ ମଧ୍ୟ ଅଧିକ ସୁବିଧା ସୁଯୋଗ ଯୋଗାଇ ଦେବାକୁ ପ୍ରସ୍ତୁତ ବୋଲି ଏଫ୍‌ଆଇଏଚ୍‌ ଅଲିମ୍ପିକ୍‌ କ୍ବାଲିଫାୟର୍ସ ପୂର୍ବରୁ ଶୁକ୍ରବାର ଖବରଦାତାଙ୍କ ସହିତ କଥା ହେବାବେଳେ ପ୍ରକାଶ କରିଛନ୍ତି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରନ ରିଜିଜୁ। ଓଡ଼ିଶାର ଜନସାଧାରଣ ଏବଂ ସରକାରଙ୍କ କାର୍ଯ୍ୟକଳାପରେ ମୁଁ ବହୁତ ଖୁସି। ଲୋକମାନଙ୍କ ବିନା ସମର୍ଥନରେ କୌଣସି ଖେଳ କେବେ ସଫଳ ହୋଇ ପାରିବ ନାହିଁ। ଓଡ଼ିଶାର ଲୋକମାନେ ଖେଳକୁ ସମର୍ଥନ କରିବାରେ ବହୁ ଆଗରେ। ଜଣେ ଦର୍ଶକ ଏବଂ ଜନସାଧାରଣଭାବେ ସମର୍ଥନ ଅବ୍ୟାହତ ରଖିଲେ ଖେଳର ନିଶ୍ଚିତ ଉନ୍ନତି ହେବ। କ୍ରୀଡ଼ାପ୍ରତି ଅତ୍ୟଧିକ ଭଲପାଇବା ଦେଖାଉଥିବାରୁ ମୁଁ ଓଡ଼ିଶାର ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଉଛି। ଏହା ଆସନ୍ତା ୨୦୨୦ ଅଲିମ୍ପିକ୍ସରେ ଭାରତ ଭଲ ପ୍ରଦର୍ଶନ କରିବା ନେଇ ମୋର ଆଶା ରହିଛି। ଜଣେ ମନ୍ତ୍ରୀଭାବେ ଭାରତ କେତେ ପଦକ ପାଇବା ନିର୍ଦ୍ଦିଷ୍ଟଭାବେ କହିବା କଷ୍ଟକର। ମାତ୍ର ଭାରତରେ ଯେପରି ପ୍ରତିଭା ସମ୍ପନ୍ନ ଆଥଲେଟ ରହିଛନ୍ତି ଏବଂ କେନ୍ଦ୍ରସରକାରଙ୍କ ଯେପରି ସମର୍ଥନ ରହିଛି ଭାରତ ଏଥର ସନ୍ତୋଷଜନକଭାବେ ପଦକ ଜିତିବା ଆଶା ରହିଛି। ଟୋକିଓ ଅଲିମ୍ପିକ୍ସରେ ଭାରତ ଯେପରି ଭଲ ପ୍ରଦର୍ଶନ କରି ପାରିବ ସେଥିପାଇଁ ଭାରତ ସରକାରଙ୍କ କ୍ରୀଡ଼ାବିଭାଗ, ଭାରତୀୟ ଅଲିମ୍ପିକ୍‌ ଆସୋସିଏଶନ ଏବଂ ବିଭିନ୍ନ ଆସୋସିଏଶନର ମିଳିତ ଉଦ୍ୟମ ଅବ୍ୟାହତ ରହିଛି। ବିଜୟ-ପରାଜୟ ଭିନ୍ନ କଥା, ମାତ୍ର ପ୍ରସ୍ତୁତି ଅନୁସାରେ ଭାରତ ଏଥର ଭଲ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ୨୦୨୦ ଟୋକିଓ, ୨୦୨୪ ପ୍ୟାରିସ ଅଲିମ୍ପିକ୍ସକୁ ଟାର୍ଗେଟ କରି ଆମେ ଆଗକୁ ବଢ଼ୁଛୁ। ଆମେ ଆମ ଲକ୍ଷ୍ୟସ୍ଥଳରେ ପହଞ୍ଚତ୍ପାରିବୁ ବୋଲି ଆଶା ରହିଛି। ଆଗାମୀ ଦିନରେ ମୁଁ ପୁଣିଥରେ ଓଡ଼ିଶା ଆସିବାକୁ ନିଶ୍ଚିତ ପସନ୍ଦ କରିବି ବୋଲି ରିଜିଜୁ ପ୍ରକାଶ କରିଛନ୍ତି।

Share