ଖେଳନା ବନ୍ଧୁକ ଦେଖାଇ ଲୁଟ୍‌ ଉଦ୍ୟମ : ଅଭିଯୁକ୍ତଙ୍କୁ କାବୁ କରି ପୋଲିସ ଜିମା ଦେଲେ ଲୋକେ

ଯୋଡ଼ା,୩୧।୮(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ସହରର ଲକ୍ଷ୍ମୀପଡ଼ିଆଠାରେ ଖେଳନା ବନ୍ଧୁକ ଦେଖାଇ ଟ୍ରକ ଡ୍ରାଇଭରଙ୍କଠାରୁ ଲୁଟ୍‌ ଉଦ୍ୟମ କରି ଜଣେ ଯୁବକ ଗିରଫ ହୋଇଥିବା ଜଣାପଡ଼ିଛି। ଯୋଡ଼ା ଥାନା ଏସ୍‌ଆଇ ବିଶ୍ୱଜିତ ବେହେରାଙ୍କଠାରୁ ମିଳିଥିବା ସୂଚନାନୁଯାୟୀ, ଯୋଡ଼ା ଆଜାଦ ବସ୍ତିରେ ରହୁଥିବା ମନୋଜ ପାତ୍ର (୨୭) ଏକ ହିରୋ ସିଡି ଡିଲକ୍ସ ବାଇକରେ ଆସି ଲକ୍ଷ୍ମୀପଡ଼ିଆଠାରେ ଠିଆ ହୋଇଥିବା ଜଣେ ଟ୍ରକ ଡ୍ରାଇଭରଙ୍କୁ ବନ୍ଧୁକ ଦେଖାଇ ଟଙ୍କା ଓ ମୋବାଇଲ ଲୁଟ୍‌ ଉଦ୍ୟମ କରୁଥିଲେ। ଏଥିରେ ଟ୍ରକ ଡ୍ରାଇଭର ଜଣଙ୍କ ଚିତ୍କାର କରିବାରୁ ନିକଟରେ ଥିବା ଅନ୍ୟ ଡ୍ରାଇଭରମାନେ ଆସି ମନୋଜଙ୍କୁ କାବୁ କରିନେଇ ପୋଲିସକୁ ଖବର ଦେଇଥିଲେ। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ପାତ୍ରଙ୍କୁ ଗିରଫ କରିବା ସହିତ ସେ ବ୍ୟବହାର କରିଥିବା ବାଇକକୁ ଜବତ କରିଛି। ତଦନ୍ତରୁ ଅଭିଯୁକ୍ତ ବ୍ୟବହାର କରିଥିବା ବନ୍ଧୁକଟି ଖେଳନା ବନ୍ଧୁକ ବୋଲି ପୋଲିସ ସୂଚନା ଦେଇଛି। ଏନେଇ ଯୋଡ଼ା ଥାନାରେ କେସ୍‌ ନଂ ୧୩୬/୧୯ ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୋଲିସ କହିଛି।