Categories: ଖେଳ

ଖେଳାଳିଙ୍କୁ ଚକିତ କଲା ଅମ୍ପାୟରଙ୍କ ଅଜବ ନିଷ୍ପତ୍ତି

ମେଲବୋର୍ନ,୩୧।୧୨- ଆଡିଲେଡ୍‌ ଷ୍ଟ୍ରାଇକର୍ସ ଓ ମେଲବୋର୍ନ ରେନେଗେଡ୍ସ ମଧ୍ୟରେ ଖେଳାଯାଇଥିବା ଚଳିତ ବିଗ୍‌ ବାଶ୍‌ ଲିଗ୍‌ (ବିବିଏଲ)ର ଏକ ମ୍ୟାଚ୍‌ରେ ଅଷ୍ଟ୍ରେଲିଆନ ଅମ୍ପାୟର ଗ୍ରେଗ ଡାଭିଡସନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ। ମ୍ୟାଚ୍‌ରେ ଏଲବିଡବ୍ଲ୍ୟ ଆଉଟ ଦେବାକୁ ହାତ ଉଠାଉଥିବାବେଳେ ଅମ୍ପାୟର ନିଷ୍ପତ୍ତି ପରିବର୍ତ୍ତନ କରି ନାକ କୁଣ୍ଡାଇ ଥିଲେ। ଏହା ଫିଲ୍ଡରଙ୍କ ସମେତ ଉପସ୍ଥିତ ଦର୍ଶକଙ୍କୁ ମଧ୍ୟ ଚକିତ କରିଦେଇଥିଲା। ୧୫୬ ରନ୍‌ର ଟାର୍ଗେଟର ପିଛା କରୁଥିବା ମେଲବୋର୍ନ ଅଧିନାୟକ ତଥା ଓପନର ଆରୋନ ଫିଞ୍ଚ ଭଲ ଆରମ୍ଭ କରିଥିଲେ। ମାତ୍ର ଅନ୍ୟପଟେ କ୍ରମାଗତ ଉଇକେଟ ପତନ ଯୋଗୁ ଦଳ ଶେଷ ପର୍ଯ୍ୟନ୍ତ ଖେଳି ୮ଉଇକେଟ କ୍ଷତିରେ ୧୩୭ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଦ୍ୱିତୀୟ ଇନିଂସର ୧୭ତମ ଓଭରରେ ଲେଗ୍‌ ସ୍ପିନର ରସିଦ ଖାଁ ପ୍ରତିପକ୍ଷ ବ୍ୟାଟ୍ସମ୍ୟାନ ବୋ ଓ୍ବେବଷ୍ଟରଙ୍କ ବିପକ୍ଷରେ ଏଲବିଡବ୍ଲ୍ୟୁ ଅପିଲ କରିଥିଲେ। ଅମ୍ପାୟର ଡାଭିଡସନ ତାଙ୍କର ଆଙ୍ଗୁଠି ଉଠାଇଥିଲେ। କିନ୍ତୁ ସେ ଆଉଟ୍‌ ନ ଦେଇ ନାକ କୁଣ୍ଡେଇ ଥିଲେ। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି। ପ୍ରାୟ ସମାନ ଘଟଣା ୨୦୧୭ରେ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଅନୁଷ୍ଠିତ ରାଞ୍ଚତ୍ ଟେଷ୍ଟରେ ମଧ୍ୟ ଘଟିଥିଲା। ଜୋଶ ହାଜେଲଉଡଙ୍କ ବଲ ଚେତେଶ୍ୱର ପୂଜାରାଙ୍କ ପ୍ୟାଡରେ ବାଜିଥିଲା। ସ୍ଲିପ ଅଞ୍ଚଳରେ ଥିବା ଫିଲ୍ଡର ହାଲ୍‌କା ଅପିଲ କରିଥିଲେ, ଯାହାକୁ ଅମ୍ପାୟର କ୍ରିସ ଗଫାନି ଆଙ୍ଗୁଠି ଦେଖାଇଥିଲେ। କିନ୍ତୁ ତୁରନ୍ତ ଟୋପି ଠିକ୍‌ କରିଥିଲେ।

Share