Categories: ଖେଳ

ଖେଳାଳିଙ୍କ ନିରାପତ୍ତା ସହ ବୁଝାମଣା କରାଯାଇଥିଲା: ସାଇନା

ନୂଆଦିଲ୍ଲୀ,୧୮।୩(ପି.ଟି.): ଭାରତୀୟ ମହିଳା ବ୍ୟାଡମିଣ୍ଟନ ତାରକା ସାଇନା ନେହ୍ବାଲ ଗତ ସପ୍ତାହରେ ଖେଳାଯାଇଥିବା ଅଲ ଇଂଲଣ୍ଡ ବ୍ୟାଡମିଣ୍ଟନ ଚାମ୍ପିୟନଶିପ୍‌ର ଆୟୋଜନ ନେଇ ପ୍ରଶ୍ନ ଉଠାଇଛନ୍ତି। ଖେଳାଳିଙ୍କ ନିରାପତ୍ତାକୁ ହେୟ କରି ଅର୍ଥକୁ ଅଧିକ ଗୁରୁତ୍ୱ ଦିଆଯାଇଥିଲା ବୋଲି ସେ ଅଭିଯୋଗ ଆଣିଛନ୍ତି। କରୋନା ଭାଇରସ ସାରା ବିଶ୍ୱରେ ଏକ ମହାମାରୀ ରୂପ ନେଇଥିବା ବେଳେ କିପରି ଏହି ହାଇପ୍ରୋଫାଇଲ ଟୁର୍ନାମେଣ୍ଟ ଖେଳାଯାଇଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି। ତେଣୁ କେବଳ ଅର୍ଥକୁ ଅଧିକ ଗୁରତ୍ୱ ଦିଆଯାଇଥିଲା। ନହେଲେ ଏହି ଟୁର୍ନାମେଣ୍ଟ ଆୟୋଜନ କରିବାର କୌଣସି କାରଣ ନ ଥିଲା ବୋଲି ସାଇନା ଟୁଇଟ୍‌ କରି ଜଣାଇଛନ୍ତି।
ଅଲ ଇଂଲଣ୍ଡରେ ସାଇନା ପ୍ରଥମ ରାଉଣ୍ଡରେ ହିଁ ପରାସ୍ତ ହୋଇ ବିଦାୟ ନେଇଥିଲେ। ବିପଦ ସତ୍ତ୍ୱେ କେତେକ ଖେଳାଳି ଏହି ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିଥିଲେ। ଅଲିମ୍ପିକ୍‌ କ୍ୱାଲିଫିକେଶସ ଓ ର଼୍ୟାଙ୍କିଙ୍ଗ୍‌ ପଏଣ୍ଟ ଦୃଷ୍ଟିକୋଣରୁ ଏହି ଟୁର୍ନାମେଣ୍ଟର ମଧ୍ୟ ଯଥେଷ୍ଟ ଗୁରତ୍ୱ ରହିଥିଲା। ତେବେ ପ୍ରଥମ ରାଉଣ୍ଡରେ ପରାସ୍ତ ହୋଇ ବିଦାୟ ନେଇଥିବାରୁ ସାଇନାଙ୍କ ଅଲିମ୍ପିକ୍‌ ଯୋଗ୍ୟତା ହାସଲ ନେଇ ଆଶଙ୍କା ପ୍ରକାଶ ପାଇଛି। ଏହି ଟୁର୍ନାମେଣ୍ଟକୁ ସ୍ଥଗିତ ରଖାଯାଇପାରିଥାନ୍ତା କିମ୍ବା ବାତିଲ କରାଯାଇପାରିଥାନ୍ତା ବୋଲି ସେ କହିଛନ୍ତି। କରୋନା ଭାଇରସ ଆତଙ୍କ କାରଣରୁ ବ୍ୟାଡମିଣ୍ଟନ ଓ୍ବାଲର୍‌ଡ ଫେଡେରେଶନ (ବିଡବ୍ଲ୍ୟୁଏଫ୍‌) ତାର ସବୁ ଇଭେଣ୍ଟକୁ ସ୍ଥଗିତ ରଖିଛି।

Share