Categories: ଖେଳ

ଖେଳାଳି କରୋନା ପଜିଟିଭ ଜଣାପଡ଼ିବା ପରେ ସ୍ଥଗିତ ରହିଲା ମ୍ୟାଚ୍‌

ମେଲବୋର୍ନ, ୨୦।୩- କରୋନା ଭାଇରସ୍‌ ଯୋଗୁ ବିଶ୍ୱସ୍ତରରେ କ୍ରୀଡ଼ା ବେଶ୍‌ ପ୍ରଭାବିତ ହୋଇଛି। ତେବେ ଯେଉଁ ଦେଶରେ କରୋନା ପ୍ରଭାବ ହ୍ରାସ ପାଇବାରେ ଲାଗିଛି ସେଠାରେ ଗତ ମାସ ଶେଷ ଭାଗରୁ ବିଭିନ୍ନ ପ୍ରତିଯୋଗିତା ଧିରେ ଧିରେ ଆରମ୍ଭ ହେବାରେ ଲାଗିଛି। ତେବେ ଅଷ୍ଟ୍ରେଲିଆରେ ଜଣେ ଖେଳାଳି କରୋନା ପଜିଟିଭ ଜଣାପଡ଼ିବା ପରେ ଅଷ୍ଟ୍ରେଲିଆ ଫୁଟ୍‌ବଲ ଲିଗ୍‌ (ଏଏଲ୍‌ଏଫ୍‌)ର ଏସେନଡନ ଓ ମେଲବୋର୍ନ ମଧ୍ୟରେ ଖେଳାଯିବାକୁ ଥିବା ଏକ ମ୍ୟାଚ୍‌କୁ ସ୍ଥଗିତ ରଖିବାକୁ ଆୟୋଜକ ନିଷ୍ପତ୍ତି ନେଇଥିଲେ। ଏହି ଖେଳାଳି ଜଣଙ୍କ ହେଲେ ଏସେନଡନର ଦଳର କର୍ନର ମ୍ୟାକେନା। ଗତ ସପ୍ତାହରେ ୨୪ ବର୍ଷୀୟ ମ୍ୟାକେନା ଆର୍ୟଲାଣ୍ଡରୁ ଏଠାକୁ ଆସିଥିଲେ। ଶୁକ୍ରବାର ସନ୍ଧ୍ୟାରେ ସେ ସାମାନ୍ୟ ଅସୁସ୍ଥ ଅନୁଭବ କରିବାରୁ ତାଙ୍କର କରୋନା ଟେଷ୍ଟ କରାଯାଇଥିଲା। ରିପୋର୍ଟ ନେଗେଟିଭ ବାହାରିଥିଲା। ଏହାପରେ ପୁନର୍ବାର ଶନିବାର ପରୀକ୍ଷା କରାଯିବାରୁ ସେ କରୋନା ପଜିଟିଭ ବୋଲି ଜଣାପଡ଼ିଥିଲା। ଏଏଲ୍‌ଏଫ୍‌ ମୁଖ୍ୟ କାର୍ଯ୍ୟନିର୍ବାହୀ ଗିଲ୍‌ ମ୍ୟାକ୍‌ଲାଚଲାନ୍‌ କହିଛନ୍ତି, ମ୍ୟାକେନାଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ରବିବାର ଏସେନଡନ ଓ ମେଲବୋର୍ନ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍‌କୁ ସ୍ଥଗିତ ରଖାଯାଇଛି। ସାଥୀ ଖେଳାଳି ଓ ଷ୍ଟାଫ୍‌ଙ୍କ ସ୍ବାବ୍‌ ପରୀକ୍ଷା କରାଯିବାକୁ ନିଷ୍ପତ୍ତି ହୋଇଛି। ତେବେ ଲିଗ୍‌ର ଅନ୍ୟସମସ୍ତ ମ୍ୟାଚ୍‌ ଅନୁଷ୍ଠିତ ହେବ ବୋଲି ଗିଲ୍‌ କହିଛନ୍ତି।

Share