କ୍ରିକେଟରଙ୍କ ଏମିତି ବହୁ ଅଭ୍ୟାସ ଅଛି, ଯାହାକି କ୍ରିକେଟ ପସନ୍ଦ କରୁ ନ ଥିବା ଫ୍ୟାନଙ୍କୁ ଅଜବ ଲାଗୁଥିବ। ବଲକୁ ପ୍ୟାଣ୍ଟରେ ବାରମ୍ବାର ଘଷିବା, ପିଚ୍ରେ ବ୍ୟାଟକୁ ବାଡ଼େଇବା ଓ ବୋଲିଂ ପୂର୍ବରୁ ବଲକୁ ଚୁମ୍ବନ ଦେବା ଭଳି ଅଭ୍ୟାସ ଖେଳାଳିଙ୍କ ରହିଛି। କିନ୍ତୁ କେବେ ଚିନ୍ତା କରିଛନ୍ତି କି, ଖେଳାଳିମାନେ ମୁହଁରେ ଧଳା ରଙ୍ଗ କାହିଁକି ମାରନ୍ତି। ପ୍ରାୟତଃ ଟେଷ୍ଟ ମ୍ୟାଚ୍ଗୁଡ଼ିକ ଦିନବେଳା ଖେଳାଯାଏ। ଏଣୁ ଖରା ରହିବା ସ୍ବାଭାବିକ। ଭାରତ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ଦକ୍ଷିଣ ଆଫ୍ରିକା ଭଳି ଦେଶରେ ଗ୍ରୀଷ୍ମର ପ୍ରଭାବ ବେଶ୍ ଅଧିକ ରହିଥାଏ। ଏଭଳି ପରିବେଶରେ ୫ରୁ ୬ ଘଣ୍ଟା ଖେଳୁଥିବା ଖେଳାଳିଙ୍କୁ ସାଧାରଣ ସନ ସ୍କ୍ରିନ୍ କାମ ଦିଏ ନାହିଁ। ତେଣୁ କ୍ରିକେଟରମାନେ ଜିଙ୍କ ଅକ୍ସାଇଡ ବ୍ୟବହାର କରନ୍ତି। ଏହା ସୂର୍ଯ୍ୟ କିରଣ ରିଫ୍ଲେକ୍ଟ କରେ। ଏହା ସ୍କିନକୁ ସୂର୍ଯ୍ୟଙ୍କ ୟୁଭିଏ ଓ ୟୁଭିବି ଭଳି କ୍ଷତିକାରକ ରଶ୍ମିଠାରୁ ବଞ୍ଚାଏ। ସାଧାରଣ ସନ ସ୍କ୍ରିନ ଲଗାଇବାର ୨୦ ମିନିଟ୍ ପରେ କାମ କରୁଥିବାବେଳେ ଜିଙ୍କ ଅକ୍ସାଇଡ ସଙ୍ଗେସଙ୍ଗେ କାମ ଦିଏ।