ଖେଳୁଥିବା ବେଳେ ଖାଲରେ ବୁଡ଼ି ଯାଇ ଶିଶୁପୁତ୍ର ମୃତ

ଭୁବନ,୨୯।୬(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ଏନ୍‌ଏସି କାର୍ଯ୍ୟାଳୟ ପଛପଟେ ଥିବା ଏକ ଖତ ଖାଲରେ ଭର୍ତ୍ତି ହୋଇଥିବା ପାଣିରେ ବୁଡ଼ିଯାଇ ଜଣେ ଶିଶୁପୁତ୍ରଙ୍କ ମୃତ୍ୟୁ ଘଟିଛି। ମୃତଶିଶୁ ହେଲେ ଭବାନୀ ଶଙ୍କର ଗୋଚ୍ଛାୟତଙ୍କ ପୁଅ ଗୁଲସନ(୫)।

ସୂଚନାନୁଯାୟୀ, ଗୁଲସନ ବାହାରେ ଖେଳୁଥିବା ସମୟରେ ଘର ସମ୍ମୁଖରେ ଥିବା ଉକ୍ତ ଖାଲରେ ଅସାବଧାନତାବଶତଃ ବୁଡ଼ି ଯାଇଥିଲେ। ପରିବାରଲୋକେ ତାଙ୍କୁ ଅନେକ ସମୟ ଧରି ଖୋଜିିବା ପରେ ଉକ୍ତ ଖାଲରେ ତାଙ୍କ ଜୋତା ଭାସୁଥିବା ଦେଖିବାକୁ ପାଇଥିଲେ। ସେ ବୁଡ଼ି ଯାଇଥିବା ସନ୍ଦେହ କରି ପରିବାରଲୋକେ ପାଣିରେ ଖୋଜାଖୋଜି କରିବା ପରେ ଗୁଲସନଙ୍କୁ ଉଦ୍ଧାର କରାଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ଅବସ୍ଥା ଅଧିକ ଗୁରୁତର ହେବାରୁ ଢେଙ୍କାନାଳ ଜିଲା ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଏ ନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।