ଖେଳୁଥିବା ବେଳେ ଗଛଡ଼ାଳ ଛିଡ଼ି ପଡ଼ିଲା: ଦ୍ୱିତୀୟ ଶ୍ରେଣୀ ଛାତ୍ର ମୃତ; ସ୍କୁଲରେ ଶିକ୍ଷକଙ୍କୁ ତାଲା ପକାଇଲେ ଉତ୍ତ୍ୟକ୍ତ ଲୋକେ

ନିରାକାରପୁର,୧୭ା୧୦(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ପଞ୍ଚାୟତସ୍ଥିତ କ୍ଷେତ୍ରବାସୀ ଏକାଡେମୀ ସ୍କୁଲରେ ଗୁରୁବାର ଏକ ଅଘଟଣ ଘଟିଛି। ସ୍କୁଲ ପରିସର ମଧ୍ୟରେ ଥିବା ଏକ ଆମ୍ବ ଗଛର ଶୁଖିଲା ଡ଼ାଳ ପଡ଼ି ଜଣେ ଦ୍ୱିତୀୟ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଷ୍ଟେଶନ ଅଞ୍ଚଳରେ ରହୁଥିବା ନବଘନ ପ୍ରଧାନଙ୍କ ଏକମାତ୍ର ପୁଅ ରିତେଶ ପ୍ରଧାନ(୭) ଓରଫ ମୁନା।

ସୂଚନାନୁଯାୟୀ, ରିତେଶ ମଧ୍ୟାହ୍ନ ଭୋଜନ ଛୁଟି ସମୟରେ ସ୍କୁଲ ପରିସରରେ ଥିବା ଏକ ଗଛମୂଳରେ ଖେଳୁଥିଲେ। ସେହି ସମୟରେ ଗଛରେ ଓହଳି ରହିଥିବା ଏକ ଶୁଖିଲା ଡାଳ ତାଙ୍କ ଉପରେ ଖସି ପଡିଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି। ହେଲେ ସ୍କୁଲର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଉଦୟନାଥ ତ୍ରିପାଠୀ ଶିଶୁଙ୍କୁ ଉଦ୍ଧାର କରି ପ୍ରଥମେ ନିରାକାରପୁର ଏବଂ ପରେ ଖୋର୍ଦ୍ଧା ଜିଲା ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଘଟଣା ବିଷୟରେ ପ୍ରଚାରିତ ହେବା ପରେ ସ୍କୁଲରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ଉତ୍ୟକ୍ତ ଲୋକେ ସ୍କୁଲରେ ଶିକ୍ଷକଙ୍କୁ ତାଲା ପକାଇଥିବା ଜଣାପଡ଼ିଛି। ଖବର ଲେଖାଯିବା ପର୍ଯ୍ୟନ୍ତ ନିରାକାରପୁର ଥାନା ପୋଲିସ ସ୍କୁଲରେ ପହଞ୍ଚିଥିବା ସୂଚନା ମିଳିଛି।

ପ୍ରକାଶଯୋଗ୍ୟ, ବାତ୍ୟା ‘ଫନୀ’ ପରଠାରୁ ଉକ୍ତ ସ୍କୁଲ ପରିସରରେ ଥିବା ଗଛ ଗୁଡ଼ିକରୁ ଡାଳ ଭାଙ୍ଗି ଝୁଲି ରହିଛି। ହେଲେ ସ୍କୁଲ କର୍ତ୍ତୃପକ୍ଷ ଏହାକୁ ଖସାଇବା ପାଇଁ ବ୍ୟବସ୍ଥା କରିନାହାନ୍ତି। ଫଳରେ ଏଭଳି ଅଘଟଣ ଘଟିଛି ବୋଲି ଲୋକେ ଅଭିଯୋଗ କରିଛନ୍ତି।

Share