ବେଜିଂ,୯।୩: କରୋନା ଭାଇରସ ସାରା ବିଶ୍ୱରେ କାୟା ବିସ୍ତାର କରିଥିବା ବେଳେ ଏବେ ଚାଇନା କରୋନା ସଂକ୍ରମିତ ପ୍ରଥମ ବ୍ୟକ୍ତି ବା ଜିରୋ ପେସେଣ୍ଟଙ୍କୁ ଖୋଜୁଥିବା ଜଣାପଡିଛି। ଭାଇରସ ବା ବ୍ୟାକ୍ଟେରିଆରେ ସଂକ୍ରମିତ ପ୍ରଥମ ବ୍ୟକ୍ତିଙ୍କୁ ଜିରୋ ପେସେଣ୍ଟ ବୋଲି କୁହାଯାଇଥାଏ। ବିବିସିରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଜିରୋ ପେସେଣ୍ଟଙ୍କ ସନ୍ଧାନ ମିଳିଲେ କରୋନା ଭାଇରସର ଚିକିତ୍ସା ପଦ୍ଧତି ସରଳ ହୋଇ ପାରିବ ବୋଲି ଚାଇନାର ବିଶେଷଜ୍ଞମାନେ କହିଛନ୍ତି। ଏମାନେ ଆହୁରି ମଧ୍ୟ କହିଛନ୍ତି, ପ୍ରଥମ କରୋନା ଭାଇରସ ସଂକ୍ରମିତଙ୍କ ସନ୍ଧାନ ମିଳିଲେ ଏହା କେବେ, କେଉଁଠୁ ଓ କିପରି ଆରମ୍ଭ ହେଲା ହୋଇଥିଲା ତାହା ସ୍ପଷ୍ଟ ହୋଇପାରିବ ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ଚାଇନାରେ କରୋନା ଭାଇରସ କାୟା ବିସ୍ତାର କରିଥିବା ବେଳେ ପ୍ରଥମେ ଶୁଣିବାକୁ ମିଳିଥିଲା କି ଏହା ବିଷାକ୍ତ ସାପ ଦେହରୁ ଆସିଛି। ଏହାପରେ ପୁଣି ଶୁଣିବାକୁ ମିଳିଲା ଯେ ବାଦୁଡି ମାଧ୍ୟମରେ ଏହା ବ୍ୟାପୁଛି। ହେଲେ ଏହାକୁ ନେଇ କୌଣସି ସଠିକ୍ ତଥ୍ୟ ମିଳିପାରିଲା ନାହିଁ। ଫେବୃୟାରୀ ମାସର ଶେଷ ବେଳକୁ ଚାଇନା ଖବରକାଗଜ ସାଉଥ୍ ଚାଇନା ମର୍ଣ୍ଣିଂ ପୋଷ୍ଟ କହିଲା ଏହା ଉହାନର ସି-ଫୁଡ ମାର୍କେଟରୁ ଆସିଛି। ପୁଣି କୁହାଗଲା କି ଏହା ଚାଇନାର ଜୈବିକ ଯୁଦ୍ଧାସ୍ତ୍ର। ଉହାନରେ ଥିବା ପରୀକ୍ଷାଗାରରେ ଅସାବଧାନତା ଯୋଗୁ ଏହା ବାହାରକୁ ଆସିଯିବାରୁ କରୋନା ଭାଇରସର ସ୍ଥିତି ଅସମ୍ଭାଳ ହୋଇଗଲା। ଆଉ ଉହାନ ସହରରେ ଥିବା ଲୋକେ ଅଧିକ ମାତ୍ରାରେ ଏଥିରେ ସଂକ୍ରମିତ ହେଲେ। ହେଲେ ଏପର୍ଯ୍ୟନ୍ତ ଏହାର ସଠିକ୍ କାରଣ ଜଣା ନ ପଡିଥିବା ବେଳେ ଚାଇନା କୁଆଡେ ଏବେ କରୋନା ସଂକ୍ରମିତ ପ୍ରଥମ ବ୍ୟକ୍ତିଙ୍କୁ ଖୋଜୁଛି ବୋଲି କୁହାଯାଉଛି। ଏପଟେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଏବେବି ଅନୁମାନ କରୁଛି କି କୌଣସି ଜଙ୍ଗଲି ପ୍ରାଣୀଙ୍କ ଦ୍ୱାରା କରୋନା ଭାଇରସ ବ୍ୟାପିଥାଇ ପାରେ।