ଖୋର୍ଦ୍ଧାରୁ ୩୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

ଭୁବନେଶ୍ୱର,୫ା୩ (ବ୍ୟୁରୋ): କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ମଙ୍ଗଳବାର ରାତିରେ ଖୋର୍ଦ୍ଧାରେ ଚଢ଼ାଉ କରି ୩୦୫ ଗ୍ରାମ୍‌ର ବ୍ରାଉନସୁଗାର ଜବତ କରିବା ସହ ସମ୍ପୃକ୍ତ ଜଣେ ବେପାରୀଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ଶରଧାପୁର ଗ୍ରାମର ପ୍ରିୟବ୍ରତ ଦାସ। ତେବେ ଚଢାଉବେଳେ ଅନ୍ଧାରର ସୁଯୋଗ ନେଇ ୨ ସହଯୋଗୀ ଭାଲିଆବାଡ଼ିର ସଞ୍ଜୟ ପ୍ରଧାନ ଓରଫ ସଞ୍ଜୁ ଓ ଉପରସାହିର ଦୀପକ ସ୍ବାଇଁ ଓରଫ ଗୁଡ଼ିଚୋର ଘଟଣାସ୍ଥଳରୁ ଫେରାର ହୋଇଛନ୍ତି। ଜବତ ବ୍ରାଉନସୁଗାରର ବଜାର ମୂଲ୍ୟ ୩୦ଲକ୍ଷରୁ ଊର୍ଦ୍ଧ୍ୱ ହେବ ବୋଲି ଏସ୍‌ଟିଏଫ୍‌ ସୂତ୍ରରୁ ଜଣାପଡିଛି।
ସୂଚନା ମୁତାବକ, ପ୍ରିୟବ୍ରତ ଓ ୨ ସହଯୋଗୀ କୋଲକତା ଏବଂ ବାଲେଶ୍ବରରୁ ବ୍ରାଉନସୁଗାର ଆଣି ଏଠାରେ ଦୀର୍ଘଦିନ ଧରି ବେପାର ଚଳାଇଛନ୍ତି। ଚୋରା ପଥରଖଣି ଓ ନିଶା କାରବାର ଉପରେ ଏସଟିଏଫ୍‌ର ନଜର ପଡିବା ପରେ ଏମାନେ ସେମାନଙ୍କ ବେପାରର ଧାରାକୁ ବଦଳାଇ ଦେଇଛନ୍ତି। ବାଇକରେ ରାଜଧାନୀ ତଥା ଉପକଣ୍ଠ ଅଞ୍ଚଳରେ ଥିବା ଛୋଟ ଛୋଟ ବେପାରୀଙ୍କୁ ବ୍ରାଉନସୁଗାର ଯୋଗାଇ ଆସୁଥିଲେ। ଏସ୍‌ଟିଏଫ୍‌ ପୂର୍ବରୁ ସୂଚନା ପାଇବା ସହ ସେମାନଙ୍କ ଉପରେ ନଜର ରଖିଥିଲା। ମଙ୍ଗଳବାର ରାତିରେ ଖୋର୍ଦ୍ଧା ଜେଲ ରୋଡ୍‌ରେ ଏକ ବଡ ଡିଲ୍‌ କରିବାକୁ ସେମାନେ ବାଇକ୍‌ରେ ଯାଉଥିବାବେଳେ ଏସଟିଏଫ୍‌ ଟିମ୍‌ ଚାରିପଟୁ ଘେରି ଯାଇଥିଲା। ତେବେ ଗିରଫ ପ୍ରିୟବ୍ରତଙ୍କୁ କୋର୍ଟଚାଲାଣ କରାଯାଇଥିବାବେଳେ ଆବଶ୍ୟକ ପଡ଼ିଲେ ଅଧିକ ପଚରାଉଚରା ପାଇଁ ରିମାଣ୍ଡରେ ଅଣାଯିବ ବୋଲି ଏସ୍‌ଟିଏଫ୍‌ ସୂଚନା ଦେଇଛି।

Share