ଖୋର୍ଦ୍ଧା ଅଫିସ,୧୬।୫: ରାଜ୍ୟରେ ପୁଣି ୬୫ କରୋନା ଆକ୍ରାନ୍ତ ଶନିବାର ସକାଳେ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣ ଖୋର୍ଦ୍ଧା ଜିଲାର ରହିଛନ୍ତି। ଏ ନେଇ ଜିଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ଖୋର୍ଦ୍ଧା ପୌରାଞ୍ଚଳର ହୋଇଥିବା ବେଳେ ଅନ୍ୟ ୨ ଆକ୍ରାନ୍ତ ବାଣପୁର ଅଞ୍ଚଳର ବୋଲି ଜିଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ତେବେ ଜଣେ ପଶ୍ଚିମବଙ୍ଗ ଫେରନ୍ତା ଏବଂ ଅନ୍ୟ ଜଣେ ସୁରଟରୁ ଆସିଥିଲେ। ଏ ଦୁଇ ଜଣ ଯାକ କ୍ୱାରାଣ୍ଟାଇନରେ ଥିଲେ। ଅନ୍ୟ ଜଣେ ହୋମ୍ କ୍ୱାରାଣ୍ଟାଇନରେ ଥିଲେ।
ଅନ୍ୟପଟେ ଜିଲାପାଳ ଶିତାଂଶୁ ରାଉତ ନବିନାବାଗକୁ ନିଷିଦ୍ଧାଞ୍ଚଳ ଭାବେ ଘୋଷଣା କରିଛନ୍ତି । ଉକ୍ତ ଅଞ୍ଚଳରେ ବାହାର ଲୋକଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି। ସେହିପରି ଏହି ଅଞ୍ଚଳରୁ କେହି ବାହାରକୁ ଯାଇ ପାରିବେ ନାହିଁ। ପୌର ପ୍ରଶାସନ ପକ୍ଷରୁ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବା ବ୍ୟବସ୍ଥା କରାଯିବ। ଏଥିସହିତ ଉକ୍ତ ଅଞ୍ଚଳକୁ ସାନିଟାଇଜ କରାଯିବ। ଉକ୍ତ ଅଞ୍ଚଳର ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଲାଗି ବ୍ୟବସ୍ଥା କରାଯିବ ବୋଲି ଜିଲାପାଳ ରାଉତ କହିଛନ୍ତି। ଏହି ଅଞ୍ଚଳରେ ତଦାରଖ ପାଇଁ ପୌର ଅଧିକାରୀ ଶ୍ବେତପଦ୍ମା ଶତପଥୀ, ଏଡିଏମ୍ଓ(ପରିବାର କଲ୍ୟାଣ) ଏବଂ ସିଡିଏମଓ ବିଶ୍ବ ରଞ୍ଜନ ପତି ଦାୟିତ୍ୱରେ ରହିଛନ୍ତି । ଖୁବ୍ଶୀଘ୍ର ଉକ୍ତ ଅଞ୍ଚଳକୁ ସିଲ୍ ସହ ଅଗ୍ନିଶମ କର୍ମଚାରୀଙ୍କ ସହାୟତାରେ ବିଶୋଧନ କରାଯିବ ବୋଲି ପୌର ନିର୍ବାହୀ ଶତପଥୀ କହିଛନ୍ତି ।
Posted inଆମ ଜିଲା ଖବର, କରୋନା ଭାଇରସ୍, ଖୋର୍ଦ୍ଧା, ରାଜ୍ୟ