ଖୋର୍ଦ୍ଧା ଜେଲ୍‌ରେ ବେଧଡ଼କ ଚାଲିଛି ଧଳା ଜହର କାରବାର: ଭିଡିଓ ଭାଇରାଲ

ଖୋର୍ଦ୍ଧା ଅଫିସ,୬।୬ : ଖୋର୍ଦ୍ଧା ଜେଲ ପାଲଟିଛି ଧଳା ଜହର କାରବାରର ପେଣ୍ଠସ୍ଥଳୀ। ଜେଲ କର୍ତ୍ତୃପକ୍ଷଙ୍କ ଜାଣତରେ ଚାଲିଛି ଏହି କାରବାର। ଏନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଖୋର୍ଦ୍ଧା ଜେଲ କର୍ତ୍ତୃପକ୍ଷଙ୍କ ସଂପୃୃୃକ୍ତି ନେଇ ଉଠିିିଛି ପ୍ରଶ୍ନବାଚୀ। ଅନ୍ତେବାସୀ ସେବନ କରୁଛନ୍ତି ବ୍ରାଉନସୁଗାର। ଜେଲ ଭିତରେ ଚାଲିଛି ଖୁଲମଖୁଲା କାରବାର। ଜେଲ ଭିତରକୁ ବେଧଡକ ଭାବେ ଯାଉଛି ଧଳା ଜହର। ଜେଲ କର୍ତ୍ତୃପକ୍ଷଙ୍କ ଜାଣତରେ ହେଉଛି କାରବାର। ଭାଇରାଲ ଭିଡିଓରେ ଜଣେ ବିଚାରଧୀନ କଏଦୀ କହୁଥିବା ଶୁଣାଯାଉଛି ଯେ, ଜେଲ ଅଧୀକ୍ଷକ ଭଲ ଲୋକ । ତମେ ଗେଟ୍‌ ପାଖରେ ଆଣି ପହଞ୍ଚାଇ ଦେବ। ତପନ ବାବୁଙ୍କୁ କହିବୁ ମାଲ ଭଲ ଅଛି। ଆଉ ୧୦ଗ୍ରାମ ପଠାଇବେ। ତାଙ୍କୁ ୩ହଜାର ଟଙ୍କା ଦେଇ ଦେବୁ। ତେବେ କାହାକୁ କେତେ ଦିଆଯିବ, କେତେ ପରିମାଣ, କେତେ ଟଙ୍କା ଆଣିବ ଏସବୁ ଡିଲ୍‌ ହେଉଛି ଜେଲ ଭିତରୁ। ଜେଲର ଚାରି କାନ୍ଥ ମଧ୍ୟରେ ଚାଲିଛି ଏଭଳି ନିଶା କାରବାର। ଅନ୍ତେବାସୀ କାହାରିକୁ ଭୟ କରୁନାହାନ୍ତି। କେତେ ଜଣ ଅସାଧୁ ପୋଲିସ, ଅବକାରୀ ଏବଂ ଜେଲ କର୍ମଚାରୀ ଏବଂ ନିଶା କାରବାର ମାଫିଆଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁ ଜେଲ ପରିସର ଏବେ ନିଶା ବେପାରୀଙ୍କ ଲାଗି ସୁରକ୍ଷିତ ସ୍ଥାନ ପାଲଟିଛି। ଏଥିରେ ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ଏନେଇ ଜେଲ ଅଧିକ୍ଷକଙ୍କ ମତାମତ ନେବାକୁ ଚେଷ୍ଟା କରାଯାଇଥିଲେ ସୁଦ୍ଧା ମିଳି ପାରିନାହିଁ ।

Share