ଖୋର୍ଦ୍ଧା: ୩୬ ମନ୍ଦିରରେ ୧୪୪ ଧାରା, ଜରିପୁଟ ସଙ୍କଟମୋଚନ ମନ୍ଦିରରେ ୧୦ଦିନ କଟକଣା

ଖୋର୍ଦ୍ଧା ଅଫିସ,୧୩ା୪: ଖୋର୍ଦ୍ଧା ଜିଲାର ୩୬ଟି ମନ୍ଦିର ଓ ଶୈବପୀଠରେ ୧୪୪ ଧାରା ଜାରି କରାଯାଇଛି। ସୋମବାର ମହାବିଷୁବ ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ଥିବାରୁ ସମ୍ପୃକ୍ତ ପୀଠସ୍ଥଳିଗୁଡ଼ିକରେ ଭକ୍ତଙ୍କ ସମାଗମ ଆଶଙ୍କାରେ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। କରୋନା ଭୂତାଣୁ ଗୋଷ୍ଠୀ ସଂକ୍ରମଣ ରୋକିବା ପାଇଁ ଖୋର୍ଦ୍ଧା ଆଦର୍ଶ ଥାନା ସମେତ ବାଘମାରୀ, ବେଗୁନିଆ, ଜଙ୍କିଆ ପ୍ରଭୃତି ଥାନା ପକ୍ଷରୁ ୧୪୪ ଧାରା ଜାରି ଲାଗି ଖୋର୍ଦ୍ଧା ଏକ୍‌ଜିକ୍ୟୁଟିଭ ମାଜିଷ୍ଟ୍ରେଟ ତଥା ଉପଜିଲାପାଳଙ୍କ ନିକଟରେ ପିଟିଶନ ଦାଏର କରାଯାଇଥିଲା। କୋର୍ଟ ଏହାକୁ ଗ୍ରହଣ କରି ବାଘମାରୀରେ ୧୩, ବେଗୁନିଆରେ ୧୪, ଜଙ୍କିଆରେ ୯ଟି ମନ୍ଦିର ପରିସରରେ ୧୪୪ ଧାରା ଜାରି କରିଛନ୍ତି। ତେବେ ତନ୍ତମୁଣ୍ଡିଆ ଜରିପୁଟସ୍ଥିତ ଶ୍ରୀ ସଙ୍କଟମୋଚନ ହନୁମାନ ମନ୍ଦିରରେ ରବିବାରଠାରୁ ଆସନ୍ତା ୨୨ତାରିଖ ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯାଇଛି ବୋଲି ସଦର ଡିଏସ୍‌ପି ସୁଶୀଲ କୁମାର ମିଶ୍ର କହିଛନ୍ତି। ୧୦ ଦିନ ବ୍ୟାପୀ ଏହି ମନ୍ଦିରରେ ପୂଜାପାଠ, ଦିଅଁ ଦର୍ଶନ ଉପରେ କଟକଣା ଜାରି ହୋଇଛି। ଆଦର୍ଶ ଥାନା ଅଧିକାରୀ ଉମାଶଙ୍କର ସିଂ କହିଛନ୍ତି, ଉପଜିଲାପାଳଙ୍କ ନିର୍ଦ୍ଦେଶାନାମାର ନକଲ ମନ୍ଦିର କାନ୍ଥରେ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଲଗାଯାଇଛି। ପୋଲିସ ପକ୍ଷରୁ ଡାକବାଜି ଯନ୍ତ୍ର ଦ୍ୱାରା ଲୋକଙ୍କୁ ସଚେତନ କରାଯାଇଛି। ଏହାକୁ ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Share