ଖୋଲାରେ ପଡ଼ିଛି ରଥ କାଠ

ନିରାକାରପୁର,୧୮ା୫(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଡିଆ ପଞ୍ଚାୟତରେ ଥିବା ଶ୍ରୀ ଶ୍ରୀ କପିଳେଶ୍ୱର ଦେବଙ୍କ ପୀଠରେ ପ୍ରତିବର୍ଷ ଅଶୋକାଷ୍ଟମୀରେ ବିଜୟା ରଥ ଯାତ୍ରା ଅନୁଷ୍ଠିତ ହୋଇଥାଏ। ଏହି ଯାତ୍ରା ସରିବା ପରେ ଉକ୍ତ ରଥକୁ ଖୋଲାଯାଇ ଆଗାମୀ ବର୍ଷ ପାଇଁ ଏହି କାଠଗୁଡିକୁ ଏହାର ବିଶ୍ରାମ ଗୃହରେ ସୁରକ୍ଷିତ ଭାବରେ ରଖାଯାଇଥାଏ। କିନ୍ତୁ ଏହି ଗୃହଟି ଗତ ୨୦୧୯ ଫନୀ ବାତ୍ୟାରେ ଭାଙ୍ଗିଯାଇଥିଲା। ଫଳରେ ଏହି କାଠଗୁଡିକ ଖରା,ବର୍ଷା ଖାଇ ଦୀର୍ଘଦିନ ଧରି ଅସୁରକ୍ଷିତ ଭାବେ ବାହାରେ ଗଦା ହୋଇ ପଡିରହିଛି। ଏ ନେଇ ଉକ୍ତ ମନ୍ଦିର ପରିଚାଳନା ଟ୍ରଷ୍ଟ ପକ୍ଷରୁ ପ୍ରଶାସନକୁ ବାରମ୍ବାର ଅବଗତ କରାଇବା ପରେ ଘଟଣାସ୍ଥଳରେ ସ୍ଥାନୀୟ ତହସିଲଦାର ସମେତ ଅନ୍ୟ ଅଧିକାରୀମାନେ ପରିଦର୍ଶନ କରି ଉକ୍ତ ଗୃହଟିର ମରାମତି ପାଇଁ ପ୍ରତିଶ୍ରୁତି ଦେଇଯାଇଥିଲେ। ହେଲେ ଫନୀ ବାତ୍ୟାକୁ ଚାରିବର୍ଷ ବିତିଯାଇଥିଲେ ମଧ୍ୟ ଏଯାଏଁ କୌଣସି କାର୍ଯ୍ୟ ହୋଇପାରି ନାହିଁ। ଫଳରେ କାଠଗୁଡିକ ଖୋଲାମେଲାରେ ପଡିରହି ଦିନକୁ ଦିନ ନଷ୍ଟ ହେବାରେ ଲାଗିଛି ା ତେବେ ରଥ ତିଆରି ପାଇଁ କାଠ ମିଳିବାରେ ସମସ୍ୟା ବଢୁଥିବା ବେଳେ ପ୍ରଶାସନର ଦେଇଥିବା ପ୍ରତିଶ୍ରୁତି କାର୍ଯ୍ୟକାରୀ ନ ହେବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ କାଠ ରହୁଥିବା ଗୃହକୁ ମରାମତି କରିବାକୁ ସାଧାରଣରେ ଦାବି ହେଉଛି। ଏ ନେଇ ତହସିଲଦାର ଜନ୍ମେଜୟ ସାହୁଙ୍କୁ ପଚାରିବାରେ ଏ ସମ୍ପର୍କରେ ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ଆବଶ୍ୟକ ପଦକ୍ଷେପ ନିଆଯାଇ ତୁରନ୍ତ କାର୍ଯ୍ୟ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।

Share