Categories: ମେଟ୍ରୋ

ଖୋଲା ଆକାଶ ତଳେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି

ବାଲିଅନ୍ତା,୨୧।୬(ଡି.ଏନ୍‌.ଏ.) : ବାତ୍ୟା ‘ଫନୀ’ରେ ବାଲିଅନ୍ତାସ୍ଥିତ ମହାତ୍ମା ସେତୁ ସଂଲଗ୍ନ ରାସ୍ତା ପାର୍ଶ୍ୱରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଉପରେ ନିର୍ମିତ ସେଡ୍‌ର ଟିଣ ଚଦର ଉଡିଯାଇଛି। ଫଳରେ ଖୋଲା ଆକାଶ ତଳେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ରହିଛି। ବର୍ଷାରେ ପ୍ରତିମୂର୍ତ୍ତି ନଷ୍ଟ ହେବାକୁ ବସିଲାଣି। ବାତ୍ୟାର ଦେଢ ମାସ ପରେ ବି ବିଭାଗୀୟ କର୍ତ୍ତୃପକ୍ଷଙ୍କ ନଜର ପଡୁ ନ ଥିବା ଅଭିଯୋଗ ହୋଇଛି। ସୂଚନା ଥାଉକି, ଗତ ଅକ୍ଟୋବର ୨ରେ ମହାତ୍ମା ସେତୁ ଉଦ୍‌ଘାଟନ ଅବସରରେ ଏହି ପ୍ରତିମୂର୍ତ୍ତି ସ୍ଥାପନ ହୋଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗାନ୍ଧିଜୀଙ୍କ ନୂତନ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଉଦ୍‌ଘାଟନ କରିଥିଲେ। ସେତୁର ନାମ ମହାତ୍ମା ସେତୁ ରଖାଯାଇଥିବା ଯୋଗୁ ସେଠାରେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିକୁ ରଖାଯାଇଥିଲା। ବାତ୍ୟାରେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ଉପରେ ନିର୍ମିତ ଟିଣ ଚଦର ଉଡିଯାଇଥିବାରୁ ଏବେ ପ୍ରତିମୂର୍ତ୍ତି ଖୋଲା ଆକାଶ ତଳେ ରହିଛି। ଖୋଲା ଆକାଶ ତଳେ ପ୍ରତିମୂର୍ତ୍ତି ଥିବାରୁ ଏହା ଗାନ୍ଧିଜୀଙ୍କ ପ୍ରତି ଅସମ୍ମାନ ବୋଲି ସ୍ଥାନୀୟ ଗ୍ରାମବାସୀ କହିଛନ୍ତି। ଅନ୍ୟପକ୍ଷରେ ଏ ସମ୍ପର୍କରେ ପୂର୍ତ୍ତ ବିଭାଗ ଡିଭିଜନ-୪ର ସରକାରୀ ନିର୍ବାହୀ ଯନ୍ତ୍ରୀ ବ୍ରଜମୋହନ ମହାପାତ୍ର କୁହନ୍ତି, ଫନୀ ଯୋଗୁ ରାସ୍ତା ଓ ଅନ୍ୟ କାର୍ଯ୍ୟରେ ବ୍ୟସ୍ତ ରହୁଛୁ। ଖୁବଶୀଘ୍ର ଉଡିଯାଇଥିବା ଟିଣ ଚଦର ଲଗାଯିବ ବୋଲି ସେ କହିଛନ୍ତି।

Share