ଖୋଲା ରହିବ ଜରୁରୀ ସାମଗ୍ରୀ ଦୋକାନ

ଭୁବନେଶ୍ୱର,୧୭।୩ (ବ୍ୟୁରୋ): ସୋମବାର ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କରୋନା ମୁକାବିଲା ପାଇଁ ପୋଲିସ ସେବା ଭବନରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଥିଲେ। ଏହି ବୈଠକରେ ଡିସିପି ଅନୁପ ସାହୁ, ଟ୍ରାଫିକ୍‌ ଡିସିପି ସାଗରିକା ନାଥ, ଅଭିଜ୍ଞ ଡାକ୍ତରୀ ଟିମ୍‌ ଏବଂ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ରହିଥିଲେ। କରୋନା ମୁକାବିଲା ପାଇଁ କିଭଳି ରଣନୀତି ପ୍ରସ୍ତୁତ ହେବ ସେନେଇ ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା।
କଟକ, ଭୁବନେଶ୍ୱରରେ ଥିବା ସମସ୍ତ ମଲ ୩୧ ତାରିଖ ପଯର୍ର୍‌ୟନ୍ତ ବନ୍ଦ ରଖିବାକୁ କମିଶନରେଟ ପୋଲିସ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବା ଉପରେ କଟକଣା ଲଗାଯାଇନାହିଁ। ଓଡ଼ିଶା କୋଭିଡ୍‌-୧୯ ରେଗୁଲେଶନ ୨୦୨୦ ଅନୁଯାୟୀ କମିଶନରେଟ ପୋଲିସ ପକ୍ଷରୁ ଜନସାଧାରଣ ଏବଂ ବ୍ୟବସାୟିକ ସଂସ୍ଥା ଉପରେ କଟକଣା ଲାଗୁ କରାଯାଇଛି। ଲାଗିଥିବା କଟକଣା ଅନୁଯାୟୀ ଜନସାଧାରଣ କୌଣସି ସ୍ଥାନରେ ଏକତ୍ରିତ ନ ହେବା ପାଇଁ କୁହାଯାଇଛି। ପନିପରିବା, ଫଳମୂଳ, ଗ୍ରୋସରୀ, କ୍ଷୀର ଓ ମେଡିସିନ ସାନିଟାଇଜର ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବା ଉପରେ କୌଣସି କଟକଣା ଲାଗୁ କରାଯାଇ ନାହିଁ।
ବ୍ୟବସାୟିକ ସଂସ୍ଥା ଏବଂ ସରକାରୀ ଅଫିସରେ ସଫା ସୁତରା ଉପରେ ଗୁରୁତ୍ୱ ଦେବାକୁ କୁହାଯାଇଛି। ଗ୍ରାହକ ଅବା ଅଫିସର କର୍ମଚାରୀ ଅତି କମ୍‌ରେ ପରସ୍ପରଠାରୁ ୬ ଫୁଟ ବ୍ୟବଧାନ ରଖିବାକୁ କହିଛନ୍ତି କମିଶନର ଷଡ଼ଙ୍ଗୀ। ଏଥିସହିତ କର୍ମଶାଳା, ସାଂସ୍କୃତିକ କାର୍ଯ୍ୟକ୍ରମ, ପ୍ରତିଯୋଗିତା, ସଭା ତଥା ଅନାବଶ୍ୟକ ବୈଠକ ନ କରିବାକୁ ନିର୍ଦ୍ଦେଶ ରହିଛି। ଏହାଛଡ଼ା ଥଣ୍ଡା, କାଶ, ଜ୍ୱରରେ ପୀଡିତ ଥିବା କର୍ମଚାରୀମାନଙ୍କୁ ଅଫିସ ଭିତରକୁ ନ ପୂରାଇବା ପାଇଁ କଡ଼ା ନିର୍ଦ୍ଦେଶ ରହିଛି। ଏହି ନିର୍ଦ୍ଦେଶ ସୋମବାରଠାରୁ ଲାଗୁ କରାଯାଇଛି। ନିୟମ ଉଲ୍ଲଂଘନ କରିଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି କମିଶନରେଟ ପୋଲିିସ ପକ୍ଷରୁ ସୂଚନା ଦିଆଯାଇଛି।

Share