ଖୋଲିବ ବନ୍ଦ ପଡ଼ିଥିବା ମଦ ଫ୍ୟାକ୍ଟ୍ରି:୧୧ ଜିଲାପାଳଙ୍କୁ ଚିଠିକଲେ ଅବକାରୀ କମିଶନର

କଟକ ଅଫିସ,୧୭।୫: ଲକ୍‌ଡାଉନ୍‌ ଯୋଗୁ ରାଜ୍ୟରେ ମଦ ଫ୍ୟାକ୍ଟ୍ରିଗୁଡ଼ିକ ବନ୍ଦ ରହିଛି। ଲକ୍‌ଡାଉନ୍‌ ପରେ ମଦ ଚାହିଦା ବଢ଼ିଲେ, ଯୋଗାଇବା କଷ୍ଟକର ହେବ। ଏଣୁ ମଦ ଫ୍ୟାକ୍ଟ୍ରି (ବଟଲିଂ/ ବେଭରେଜ୍‌ ୟୁନିଟ୍‌)କୁ ଖୋଲିବା ପାଇଁ ଅବକାରୀ କମିଶନର୍‌ ପଦକ୍ଷେପ ନେଉଛନ୍ତି। ଏହି କ୍ରମରେ ରାଜ୍ୟର ୧୧ ଜିଲାପାଳଙ୍କୁ ଚିଠି ଲେଖି ଜିଲାରେ ମଦ ଫ୍ୟାକ୍ଟ୍ରି ଖୋଲିବା ଦିଗରେ ପଦକ୍ଷେପ ନେବାକୁ ନିବେଦନ କରିଛନ୍ତି ଅବକାରୀ କମିଶନର ଅଞ୍ଜନ କୁମାର ମାନିକ। ସେହି ଜିଲାଗୁଡ଼ିକ ହେଲା ଢେଙ୍କାନାଳ, ଗଞ୍ଜାମ, ଯାଜପୁର, ରାୟଗଡ଼ା, ସମ୍ବଲପୁର, ପୁରୀ, ଖୋର୍ଦ୍ଧା, କୋରାପୁଟ, ଜଗତସିଂହପୁର, କଟକ ଏବଂ ବଲାଙ୍ଗୀର।

ଚିଠିରେ ଉଲ୍ଲେଖ ରହିଛି ଯେ, ଫ୍ୟାକ୍ଟ୍ରିଗୁଡ଼ିକରେ ଷ୍ଟକ୍‌ ଯାଞ୍ଚ ବେଳେ ଖୁବ୍‌ କମ୍‌ ପରିମାଣର ମଦ ମହଜୁଦ ଥିବା ଜଣାପଡ଼ିଛି। ଅନ୍ୟପଟେ ଓଡ଼ିଶା ଷ୍ଟେଟ୍‌ ବେଭରେଜ କର୍ପୋରେଶନ ଲିମିଟେଡ୍‌ (ଓଏସ୍‌ବିସିଏଲ)ର ଗୋଦାମରେ ମଧ୍ୟ କମ୍‌ ମଦ ମହଜୁଦ୍‌ ରହିଛି। ଲକ୍‌ଡାଉନ୍‌ ପରେ ଗ୍ରାହକଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ଏହା ଯଥେଷ୍ଟ ନୁହେଁ। ଏଣୁ ଫ୍ୟାକ୍ଟ୍ରିଗୁଡ଼ିକ ଖୋଲିବା ପାଇଁ ଅନୁମତି ଦେବାକୁ କୁହାଯାଇଛି। ଉଲ୍ଳେଖଯୋଗ୍ୟ, ରାଜ୍ୟରେ ଗତ ମାର୍ଚ୍ଚ ୨୫ରୁ ମଦ ଫ୍ୟାକ୍ଟ୍ରି ବନ୍ଦ ରହିଛି। ରାଜ୍ୟରେ ୧୨ଟି ବଟଲିଙ୍ଗ୍‌ ପ୍ଲାଣ୍ଟ, ୨ଟି ଡିଷ୍ଟିଲେରିଜ୍‌ (ଆଲକହଲ୍‌ ପ୍ରସ୍ତୁତକାରୀ ଫ୍ୟାକ୍ଟ୍ରି), ୫ଟି ବ୍ରିୱରିଜ୍‌ (ବିୟର୍‌ ତିଆରି ଫ୍ୟାକ୍ଟ୍ରି) ରହିଛି। ପୂର୍ବରୁ ଫ୍ୟାକ୍ଟ୍ରି ଖୋଲିବା ପାଇଁ ଅବକାରୀ କମିଶନର ରାଜ୍ୟ ଅବକାରୀ ବିଭାଗର ପ୍ରମୁଖ ସଚିବଙ୍କୁ ଚିଠି ଲେଖିଥିଲେ।

Share