Categories: ବାଣିଜ୍ୟ

ଖୋଲିବ ୭୦୦ ନୂଆ ଆଧାର ସେବା କେନ୍ଦ୍ର

ନୂଆଦିଲ୍ଲୀ,୩୦-୧୨: ଆଧାର ସେବା ଯୋଗାଣକୁ ତ୍ୱରାନ୍ବିତ କରିବା ଲାଗି ସାରା ଦେଶରେ କମନ ସର୍ଭିସ ସେଣ୍ଟର (ସିଏସ୍‌ସି) ପକ୍ଷରୁ ୭୦୦ ନୂଆ ଆଧାର କେନ୍ଦ୍ର ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ସେଣ୍ଟରଗୁଡିକ ଆସନ୍ତା ଗୋଟିଏ ବର୍ଷ ମଧ୍ୟରେ ଖୋଲିବ। ଆଧାର ସମ୍ପର୍କିତ ବିଭିନ୍ନ ସେବା ଯୋଗାଣ ଲକ୍ଷ୍ୟରେ ଏଭଳି ପଦକ୍ଷେପ ନିଆଯାଉଥିବା ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଏହି ସେଣ୍ଟରଗୁଡିକ ଖୋଲିବା ଲାଗି ୟୁନିକ ଆଇଡେଣ୍ଟିଫିକେଶନ ଅଥରିଟି ଅଫ୍‌ ଇଣ୍ଡିଆ(ୟୁଆଇଡିଏଆଇ) ସବୁଜ ସଙ୍କେତ ଦେଇଥିବା ସିଏସ୍‌ସି ଇ-ଗଭର୍ନାସ ସର୍ଭିସର ସିଇଓ ଦିନେଶ ତ୍ୟାଗୀ କହିଛନ୍ତି। ବର୍ତ୍ତମାନ ସିଏସ୍‌ସି ନେଟଓ୍ବର୍କରେ ୩.୬ ଲକ୍ଷ ସେଣ୍ଟର ରହିଛି। ଆଧାର ସେବାକୁ ସିଏସ୍‌ସିର ଅଧିକୃତ କାର୍ଯ୍ୟାଳୟଗୁଡିକରେ ପ୍ରଦାନ କରିବା ଲାଗି ଯୋଜନା ରହିଛି। ନିରାପତ୍ତା ଦୃଷ୍ଟିକୋଣରୁ ସବୁ ସେଣ୍ଟରରେ ଏହି ସେବା ନ ଯୋଗାଇବାକୁ କୁହାଯାଇଛି। ପ୍ରତି ରାଜ୍ୟରେ ସିଏସ୍‌ସି କାର୍ଯ୍ୟାଳୟ ଥିବା ବେଳେ ଜିଲା ସ୍ତରରେ ଏହାକୁ ଖୋଲାଯାଉଛି। ସର୍ବୋଚ୍ଚ ନିରାପତ୍ତା ଦୃଷ୍ଟିକୋଣରୁ ନୂଆ ସେଣ୍ଟରଗୁଡିକ କାମ କରିବ। ସୂଚନାଯୋଗ୍ୟ ଗ୍ରାମାଞ୍ଚଳରେ ଥିବା କିଓକ୍ସଗୁଡିକରେ ଆଧାର ସେବା ବନ୍ଦ ହେବା ଯୋଗୁ ଏହା ଦ୍ୱାରା ଲୋକମାନେ ବିଭିନ୍ନ ଅସୁବିଧା ଭୋଗୁଛନ୍ତି। ଏହି ସେବା ଚାଲୁ ରଖିବା ଲାଗି ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ଆଇଟି ମନ୍ତ୍ରୀ ରବି ଶଙ୍କର ପ୍ରଶାଦଙ୍କୁ ଚିଠି ଲେଖିଥିଲେ।

Share