Categories: ଜାତୀୟ

ଖୋଲିଲା କେଦାରନାଥ ମନ୍ଦିର କବାଟ: ପ୍ରଧାନମନ୍ତ୍ରୀଙ୍କ ନାଁରେ ହେଲା ପ୍ରଥମ ପୂଜା

ଡେରାଡୁନ,୨୯।୪: କରୋନା ଭାଇରସ୍‌ ବିରୋଧରେ ଜାରି ରହିଥିବା ଲଢ଼େଇ ମଧ୍ୟରେ ବୁଧବାର ଉତ୍ତରାଖଣ୍ଡରେ ଥିବା ପ୍ରସିଦ୍ଧ ଧାମ କେଦାରନାଥ ମନ୍ଦିରର କବାଟ ଖୋଲାଯାଇଛି। ରୀତିନୀତି ଓ ପରମ୍ପରା ଅନୁସାରେ ବୁଧବାର ସକାଳ ୬ଟା ୧୦ ମିନିଟ୍‌ରେ ବାବା କେଦାରନାଥଙ୍କ କବାଟ ଖୋଲା ହୋଇଥିଲା। କେଦାରନାଥ ଧାମର ମୁଖ୍ୟ ପୂଜାରୀ ଶିବ ଶଙ୍କର ଲିଙ୍ଗ୍‌ ଏହି ସବୁ ନୀତି ସମ୍ପନ୍ନ କରିଥିଲେ। କବାଟ ଖୋଲିବା ପରେ ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାଁରେ ରୁଦ୍ରାଭିଷେକ ପୂଜା କରାଯାଇଥିଲା। ସମସ୍ତ ପୂଜାପାଠ ସୁରୁଖୁରରେ ହୋଇଥିବା ବେଳେ ପ୍ରଥମ ଥର ଦ୍ୱାର ଫିଟା ସମୟରେ ଶ୍ରଦ୍ଧାଳୁଙ୍କୁ ଦେଖିବାକୁ ମିଳି ନ ଥିଲା କି ବମ୍‌ ବମ୍‌ ଭୋଲେ ନାମ ଗୁଞ୍ଜରି ଉଠି ନ ଥିଲା। କାରଣ କରୋନା ଯୋଗୁ ସାରା ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି। ଏଭଳି ସ୍ଥିତିରେ ସେଠାକୁ କୌଣସି ଶ୍ରଦ୍ଧାଳୁଙ୍କୁ ଯିବାକୁ ଅନୁମତି ଦିଆଯାଇନାହିଁ। ମାତ୍ର ୧୬ଜଣ ବ୍ୟକ୍ତିଙ୍କ ଉପସ୍ଥିତିରେ କେଦାରନାଥ ମନ୍ଦିରର କବାଟ ଫିଟା ନୀତି ସମ୍ପନ୍ନ ହୋଇଥିଲା। ଏହି ସମୟରେ ସାମାଜିକ ଦୂରତ୍ୱ ରକ୍ଷା କରାଯାଇଥିଲା।

Share