ଖୋଲିଲା ପଞ୍ଚାୟତସ୍ତରୀୟ ଟିଏମ୍‌ସି ସେଣ୍ଟର

ରସାଳପୁର,୩୧।୩(ଡି.ଏନ୍‌.ଏ.)-ମହାମାରୀ କରୋନାକୁ ନେଇ ଏବେ ସାରା ବିଶ୍ୱ ଆତଙ୍କିତ। ଏଭଳି ପରିସ୍ଥିତିରେ କରୋନା ଭୂତାଣୁ ସଂକ୍ରମଣ ରୋକିବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଉଦ୍ୟମ ଜାରି ରଖିବା ସହିତ ସମାଜରେ ତୃଣମୂଳସ୍ତରରେ ଲୋକମାନେ ଯେଭଳି କମ୍‌ କ୍ଷତିଗ୍ରସ୍ତ ହେବେ ସେଥିପ୍ରତି ବିଶେଷ ଦୃଷ୍ଟି ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ଜିଲା ପ୍ରଶାସନ ପକ୍ଷରୁ ବ୍ଲକ ଅଧିକାରୀ, ପଞ୍ଚାୟତସ୍ତରୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ପରେ ସଦର ବ୍ଲକ ଅନ୍ତର୍ଗତ ଗେଙ୍ଗୁଟି, ଖାନନଗର, ପଦ୍ମପୁର, ସାରଗାଁ ପଞ୍ଚାୟତରେ ୧୦ଟି ଶଯ୍ୟା ବିଶିଷ୍ଟ ଟିଏମସି ସେଣ୍ଟର(ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର) ଖୋଲାଯାଇଛି। ପଞ୍ଚାୟତର ସରପଞ୍ଚଙ୍କ ତତ୍ତ୍ୱାବଧାନରେ ଗେଙ୍ଗୁଟିରେ ଥିବା ବାତ୍ୟାଆଶ୍ରୟସ୍ଥଳୀ, ଖାନନଗରରେ ନୀଳକଣ୍ଠେଶ୍ୱର ମହାବିଦ୍ୟାଳୟ, ପଦ୍ମପୁର ବାତ୍ୟା ଆଶ୍ରୟସ୍ଥଳୀ, ସାରଗାଁ ପଞ୍ଚାୟତରେ ଥିବା ହାଇସ୍କୁଲରେ ଉକ୍ତ କେନ୍ଦ୍ର ଖୋଲାଯାଇଛି। ନୋଡାଲ ଅଫିସର ଭାବେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ରମେଶ ଚନ୍ଦ୍ର ସାହୁ ନିୟୋଜିତ ହୋଇଥିବାବେଳେ ସେ ସମସ୍ତ କେନ୍ଦ୍ର ବୁଲି ତଦାରଖ କରୁଥିବା ଦେଖିବାକୁ ମିଳିଛି। ଯଦି କୌଣସି ବ୍ୟକ୍ତି ଆକ୍ରାନ୍ତ ହୋଇଥିବା ସନ୍ଦେହ ହୁଏ ତେବେ ତାଙ୍କୁ ତୁରନ୍ତ ଉକ୍ତ କେନ୍ଦ୍ରକୁ ଆଣି ଆଶୁ ଚିକିତ୍ସା କରାଯିବ ବୋଲି ନୋଡାଲ ଅଫିସର ଓ ସରପଞ୍ଚ କହିଛନ୍ତି।

Share