ଫେଲ୍‌ ମାରିଲା ଇମ୍ରାନଙ୍କ ଆତଙ୍କି ଏଜେଣ୍ଡା: ହାଫିଜ୍‌ ସୟିଦଙ୍କ ସହ ପୋଷ୍ଟରରେ ନଜର ଆସିଲେ

ଇସ୍‌ଲାମାବାଦ,୨୬।୮: ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ନିଜକୁ ଓ ଦେଶକୁ ପବିତ୍ର କହିବା ସହ ଆତଙ୍କବାଦୀଙ୍କ ବିରୋଧରେ ତାଙ୍କ ଲଢ଼େଇ ଜାରି ରହିଛି ବୋଲି ସମଗ୍ର ବିଶ୍ୱକୁ ଭୂଆଁ ବୁଲାଉଥିବା ବେଳେ ଏବେ ତାଙ୍କର ଅସଲ ମୁଖା ଖୋଲିଯାଇଛି। ପାକିସ୍ତାନରେ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପଛର ମାଷ୍ଟରମାଇଣ୍ଡ ତଥା କୁଖ୍ୟାତ ଆତଙ୍କବାଦୀ ହାଫିଜ୍‌ ସୟିଦ୍‌ଙ୍କ ସହ ଇମ୍ରାନ ଖାନଙ୍କ ଏକ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି। ଏହି ପୋଷ୍ଟରକୁ ପାକିସ୍ତାନୀ ଖବରଦାତା ସୋସିଆଲ ମିଡିଆରେ ଶେୟାର କରିବା ସହ ତାଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି। ପୋଷ୍ଟରରେ ଆତଙ୍କବାଦୀ ହାଫିଜଙ୍କ ପୂରା ପାଖରେ ଇମ୍ରାନଙ୍କ ସହ ଅନ୍ୟମାନଙ୍କ ଫଟୋ ଲାଗିଥିବା ନଜର ଆସିଛି। ଏହି ପୋଷ୍ଟରରେ ଊର୍ଦ୍ଦୁ ଭାଷାରେ ସମସ୍ତଙ୍କ ନାମ ଲେଖାଯିବା ସହ ଜଶ୍ନ-ଏ-ଆଜାଦି ଲେଖାଯାଇଛି। ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ଏହି ପୋଷ୍ଟର ସର୍ବସମ୍ମୁଖରେ ଆସିବା ପରେ ପାକିସ୍ତାନ ସରକାରଙ୍କ ଆତଙ୍କି ଏଜେଣ୍ଡା ଚର୍ଚ୍ଚାକୁ ଆସିଛି। ଆତଙ୍କବାଦୀଙ୍କ ଠାରୁ ପାକିସ୍ତାନ ମୁକ୍ତି ଚାହୁଁଛି ବୋଲି ସରକାର ସାରା ବିଶ୍ୱରେ ଡିଣ୍ଡିମ ପିଟୁଛନ୍ତି। ହେଲେ ସେମାନଙ୍କ ବିରୋଧରେ କୌଣସି କଡ଼ା କାର୍ଯ୍ୟନୁଷ୍ଠାନ ଗ୍ରହଣ ନ କରି ନାଟକବାଜି କରୁଥିବା ଆଲୋଚନା ହେଉଛି।

Share