ଖୋଲିଲା ସ୍ବତନ୍ତ୍ର ଅତ୍ୟାଧୁନିକ ହୃଦ୍‌ରୋଗ ଚିକିତ୍ସା କେନ୍ଦ୍ର

ଭୁବନେଶ୍ୱର, ୧୭।୧୨(ବ୍ୟୁରୋ): ଏଣିକି କ୍ୟାପିଟାଲ୍‌ ହସ୍ପିଟାଲରେ ମିଳିବ ଉନ୍ନତ ମାନର ହୃଦରୋଗ ଚିକିତ୍ସା ସେବା। ଏଥି ଲାଗି ରୋଗୀଙ୍କୁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ। ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ଏଥିପାଇଁ ସୋମବାର ହସ୍ପିଟାଲରେ ଏକ ସ୍ବତନ୍ତ୍ର ଅତ୍ୟାଧୁନିକ ହୃଦରୋଗ ଚିକିତ୍ସା କେନ୍ଦ୍ର ଖୋଲାଯାଇଛି। ଏହାର ନିର୍ଦ୍ଦେଶକ ଭାବେ ବିଶିଷ୍ଟ ହୃଦ୍‌-ବିଶେଷଜ୍ଞ ଡା. ପ୍ରଭାତ କୁମାର ଦାସ ସୋମବାର କାର୍ଯ୍ୟରେ ଯୋଗଦେଇଛନ୍ତି। ପ୍ରଥମ ଥର ପାଇଁ ଏଠାରେ ଶିଶୁମାନଙ୍କ ହୃଦ୍‌-ଅସ୍ତ୍ରୋପଚାର ସୁବିଧା ମଧ୍ୟ ମିଳିପାରିବ। କ୍ୟାପିଟାଲ୍‌ ହସ୍ପିଟାଲରେ ପୂର୍ବରୁ ମାସକୁ ହାରାହାରି ୭ଟି ଆଞ୍ଜିଓପ୍ଲାଷ୍ଟ, ଷ୍ଟେଣ୍ଟିଂ ହେଉଥିଲା। ଏଣିକି ଦୈନିକ ୧୫ରୁ ୨୦ ରୋଗୀଙ୍କ ଆଞ୍ଜିଓପ୍ଳାଷ୍ଟ ହୋଇପାରିବ। ଏହାସହ ହୃଦରୋଗୀଙ୍କ ଅନ୍ୟାନ୍ୟ ଜଟିଳ ସମସ୍ୟାର ସହଜ ତଥା ଗୁଣାତ୍ମକ ଚିକିତ୍ସା ଏଠାରେ ସମ୍ଭବ ହୋଇପାରିବ।
ସୋମବାର ଡା. ଦାସ କାର୍ଯ୍ୟରେ ଯୋଗଦେବାବେଳେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ, ବିଭାଗୀୟ ଶାସନ ସଚିବ ଡା. ପ୍ରମୋଦ କୁମାର ମେହେର୍ଦ୍ଦା, କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଡା. ଅଶୋକ କୁମାର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ କ୍ରମାଗତ ହୃଦ୍‌ରୋଗରେ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ସମ୍ପୃକ୍ତ ରୋଗୀମାନେ ଚିକିତ୍ସା ନିମନ୍ତେ ରାଜ୍ୟ ବାହାରକୁ ଯାଉଥିଲେ। ରାଜ୍ୟରୁ ହଜାର ହଜାର ହୃଦରୋଗୀ ବେଙ୍ଗାଲୁରୁ ଯାଇ ଡା. ଦାସଙ୍କ ନିକଟରେ ଚିକିତ୍ସିତ ହେଉଥିଲେ। ଏବେ ରୋଗୀଙ୍କୁ ଆଉ ବେଙ୍ଗାଲୁରୁ ଯିବାକୁ ପଡ଼ିବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି। କ୍ୟାପିଟାଲ ହସ୍ପିଟାଲର ହୃଦ୍‌ ବିଭାଗକୁ ଖୁବ୍‌ଶୀଘ୍ର ସେଣ୍ଟର ଅଫ୍‌ ଏକ୍ସିଲେନ୍ସି ଭାବେ ପରିଣତ କରାଯିବ। ରାଜ୍ୟର ସମସ୍ତ ଜିଲା ମୁଖ୍ୟ ଚିକିତ୍ସାଳୟରେ ମଧ୍ୟ କାର୍ଡିଓଲୋଜି ଚିକିତ୍ସା ଉପଲବ୍ଧ ହେବ। ଏଥିପାଇଁ ସରକାର ଖୁବ୍‌ ତତ୍ପର ଅଟନ୍ତି। ଫଳରେ ରାଜ୍ୟର ସମସ୍ତ ହୃଦ୍‌ରୋଗୀ ଉନ୍ନତ ମାନର ଚିକିତ୍ସା ସେବା ପାଇପାରିବେ ବୋଲି ମନ୍ତ୍ରୀ ଦାଶ କହିଛନ୍ତି। ସୂଚନାଯୋଗ୍ୟ, ଡା. ପ୍ରଭାତ କୁମାର ଦାସ, ଏମ୍‌.ଡି., ଡି.ଏମ୍‌ କାର୍ଡିଓଲୋଜି ଏଫ୍‌ଏସିସି, ଶ୍ରୀ ସତ୍ୟସାଇ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ହାୟର ମେଡିକାଲ୍‌ ସାଇନ୍ସ, ହ୍ବାଇଟ୍‌ ଫିଲ୍ଡ ବେଙ୍ଗାଲୁରୁ ଓ ପୁଟପୂର୍ତ୍ତିଠାରେ ହେଡ୍‌ ଅଫ୍‌ ଦି ଡିପାର୍ଟମେଣ୍ଟ ଭାବେ କାର୍ଯ୍ୟକରି ଆସୁଥିଲେ। ସେ ଆଜି ପର୍ଯ୍ୟନ୍ତ ୨୨ ହଜାରରୁ ଅଧିକ ହୃଦରୋଗୀଙ୍କ ସଫଳ ଚିକିତ୍ସା କରିଛନ୍ତି।

Share