କାମାକ୍ଷାନଗର, ୬।୬(ଡି.ଏନ୍.ଏ.) ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ବ୍ଲକର ଦଣ୍ଡାଧର ଡ୍ୟାମ୍ ତଳି ଅଞ୍ଚଳରେ ରବିଧାନ ଚାଷ କରିଥିବା ଚାଷୀଙ୍କ ପାଇଁ ମଣ୍ଡି ଖୋଲୁନାହିଁ। ଏ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ତେଜିବାରେ ଲାଗିଛି। ତୁରନ୍ତ ମଣ୍ଡି ନ ଖୋଲିଲେ ସେମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।
ଦଣ୍ଡାଧର ଡ୍ୟାମ୍ରୁ ବାହାରିଥିବା ରାମିଆଳ କେନାଲ ସହାୟତାରେ ସମ୍ପୃକ୍ତ ଅଞ୍ଚଳର ୨୫୦ ଏକର ଜମିରେ ରବି ଧାନ ଚାଷ କରାଯାଇଥିଲା। ଇତିମଧ୍ୟରେ ଧାନ ଅମଳ ସରିଛି। ହେଲେ ବିକ୍ରି ପାଇଁ ମଣ୍ଡି ଖୋଲାଯାଉନାହିଁ। ଏହାକୁ ନେଇ ଚାଷୀ ପରିବାର ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବୁଧବାର କଙ୍କଡ଼ାହାଡ଼ ଯାତ୍ରାପଡ଼ିଆରେ ପାଣି ପଞ୍ଚାୟତ ଶୀର୍ଷ କମିଟି ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ପାଳଙ୍କ ନେତୃତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଚାଷୀଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା। ରବି ଧାନ କ୍ରୟ ପାଇଁ ମଣ୍ଡି ଖୋଲାଯାଉ ନ ଥିବାରୁ ଚାଷୀମାନେ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଛନ୍ତି। କୁଇଣ୍ଟାଲ ପିଛା ୯୦୦ରୁ ୧୦୦୦ ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ଏହାର ସମାଧାନ ନେଇ ପ୍ରଶାସନ କିମ୍ବା କୃଷି ବିଭାଗ ଆନ୍ତରିକତା ଦେଖାଉନାହଁି। ବାରମ୍ବାର ଅଭିଯୋଗ ସତ୍ତ୍ୱେ କୌଣସି ପଦକ୍ଷେପ ନିଆଯାଉନାହିଁ। ହକ୍ ନ ମିଳିଲେ ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ନିଷ୍ପତ୍ତି ହୋଇଛି। ଏ ସମ୍ପର୍କରେ ଉପଜିଲାପାଳଙ୍କୁ ଲିଖିତ ଭାବେ ଜଣାଇଦିଆଯାଇଛି। ବୈଠକରେ ସରପଞ୍ଚ ହୃଦାନନ୍ଦ ବେହେରା, ମଙ୍ଗୁଳୁ ବେହେରା, ଭଗବାନ ବେହେରା, ବିନୟ ପାଳ, ବସନ୍ତ ପାଣି, ଇନ୍ଦ୍ରମଣି ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ।