କେନ୍ଦୁଝର, ୩୦ା୭(ଡି.ଏନ.ଏ.)-କେନ୍ଦୁଝର ଜିଲାର ବାଂଶପାଳ ବ୍ଲକ ଅନ୍ତର୍ଗତ ଗୋନାସିକାର ଗୁପ୍ତଗଙ୍ଗାରୁ ବାହାରିଥିବା ପୁଣ୍ୟତୋୟା ବୈତରଣୀ ନିମ୍ନକୁ ପ୍ରବାହିତ ହୋଇ ବଙ୍ଗୋପସାଗରରେ ମିଶିଛି। ସାଳନ୍ଦୀ ଏହାର ମୁଖ୍ୟ ଉପନଦୀ। ଶାସ୍ତ୍ର ଓ ପୁରାଣରେ ପ୍ରସିଦ୍ଧି ଲାଭ କରିଥିବା ବୈତରଣୀ ନଦୀର ଅବବାହିକାରେ ପ୍ରାଚୀନ ସଭ୍ୟତା ନିଦ୍ଦର୍ଶନ ଦେଖିବାକୁ ମିଳିଥାଏ। ଅନେକ ସମୃଦ୍ଧ ସହର ଓ ଜନପଦ ମଧ୍ୟ ଏହା ତଟଦେଶରେ ଗଢ଼ିଉଠିଛି। କିନ୍ତୁ ନଦୀର ଉତ୍ପତ୍ତିସ୍ଥଳରେ ଥିବା ନଦୀ ନାମଧାରୀ ଗ୍ରାମ ଆଜି ବି ଅବହେଳିତ ଓ ଅନ୍ଧାରୀମୁଲକ ଅବସ୍ଥାରେ ରହିଛି।
କେନ୍ଦୁଝରଠାରୁ ବୈତରଣୀର ଉତ୍ପତ୍ତିସ୍ଥଳ ଗୋନାସିକାର ଦୂରତା ପ୍ରାୟ ୩୦ କି.ମି.। ସେଠାରେ ଥିବା ଗୁପ୍ତଗଙ୍ଗା ପୂର୍ବଘାଟ ପର୍ବତମାଳାର ଖଣ୍ଡିତାଂଶ ସୁମେରୁ ପାହାଡ଼ର ଅଂଶବିଶେଷ କୁହାଯାଏ। ଜିଲାର ବାଂଶପାଳ ବ୍ଲକ ଅଧୀନ ଗୋନାସିକା ପଞ୍ଚାୟତ ଠାରୁ ୩ କି.ମି. ଦୂରରେ ନଦୀ ଉତ୍ପତ୍ତିସ୍ଥଳକୁ ଲାଗି ରହିଛି ବୈତରଣୀ ଗାଁ। କେହି କେହି ଗାଁର ନାମକରଣ ଅନୁସାରେ ନଦୀର ନାମକରଣ ହୋଇଥିବା କହନ୍ତି। ବୈତରଣୀ ଉତ୍ପତ୍ତିସ୍ଥଳ ଗୁପ୍ତଗଙ୍ଗାକୁ ନେଇ ଅନେକ କିମ୍ବଦନ୍ତୀ ରହିଛି। ପ୍ରାକୃତିକ ସୌନ୍ଦର୍ଯ୍ୟ ସାଙ୍ଗକୁ ଏହାର ଆଧ୍ୟାତ୍ମିକ, ଧାର୍ମିକ ମହତ୍ତ୍ୱ ଏହି ସ୍ଥାନକୁ ପ୍ରସିଦ୍ଧ କରିଛି। କେନ୍ଦୁଝର ଦେଇ ଯାଇଥିବା ୪୯ ନଂ ଜାତୀୟ ରାଜପଥର ବାମପଟେ ଗୋନାସିକା ଥିବାବେଳେ ଡାହାଣପଟେ ବାଂଶପାଳ ବ୍ଲକ ରହିଛି। ଜାତୀୟରାଜପଥରେ ବାୟାପଣ୍ଡା ଧାର ଛକ ଠାରୁ ୧୨ କି.ମି. ଗଲେ ଗୋନାସିକାରେ ପହଞ୍ଚି ହୁଏ। ବାଂଶପାଳ ବ୍ଲକ ଅଫିସଠାରୁ ଗୋନାସିକା ପଞ୍ଚାୟତ ଅଧୀନ ବୈତରଣୀ ଗାଁର ଦୂରତା ପ୍ରାୟ ୩୫ କି.ମି. ହେବ। ଗ୍ରାମରେ ଜୁଆଙ୍ଗ ଓ ଗୋପାଳ ସମ୍ପ୍ରଦାୟର ୭୩ ପରିବାର ବସବାସ କରୁଛନ୍ତି। ଉପରସାହି ଓ ତଳସାହି ନାମରେ ଦୁଇଟି ସାହିକୁ ନେଇ ଗ୍ରାମ ଗଠିତ ହୋଇଛି। ଲୋକସଂଖ୍ୟା ୩୦୦ରୁ ଅଧିକ। ଜଳସେଚନ ସୁବିଧା ନ ଥିବାରୁ ଗ୍ରାମବାସୀ ଗାଁ ପାଖ ଦେଇ ଯାଇଥିବା ଏକ ନାଳ, ଚୁଆପାଣି ଓ ବର୍ଷା ଧାର ଉପରେ ନିର୍ଭର କରି ସୋରିଷ, ମକା, ଧାନ, ରାଶି ପ୍ରଭୃତି ଚାଷ କରି ଚଳିଥାନ୍ତି। ସେମାନେ ଉତ୍ପାଦିତ କୃଷିଜାତ ଦ୍ରବ୍ୟକୁ ନିକଟସ୍ଥ କାଞ୍ଜିପାଣି ହାଟରେ ବିକ୍ରି କରିଥାନ୍ତି। ଗାଁରେ ବସିଥିବା ଏକମାତ୍ର ନଳକୂପ ଆବଶ୍ୟକ ପାନୀୟଜଳ ଯୋଗାଇପାରୁ ନ ଥିବାରୁ ଲୋକେ ନାଳ ଓ ଚୁଆପାଣି ବ୍ୟବହାର କରିଥାନ୍ତି। ବିକାଶର ପଦଚିହ୍ନ ସ୍ବରୂପ ଗାଁରେ ଏକ ଅଙ୍ଗନଓ୍ବାଡି କେନ୍ଦ୍ର ଖୋଲିଛି। ଉକ୍ତ କେନ୍ଦ୍ରରେ ଜଣେ ଅଙ୍ଗନଓ୍ବାଡି କର୍ମୀଙ୍କ ତତ୍ତ୍ୱାବଧାନରେ ୨୨ଜଣ ଶିଶୁ ଶିକ୍ଷାଲାଭ କରୁଛନ୍ତି। ବିଜୁଳି ସଂଯୋଗ ପାଇଁ ନାମକୁ ଖୁଣ୍ଟ ପଡ଼ିଥିଲେ ବି ବିଜୁଳି ସେବା ଠିକ ଭାବେ ମିଳେନାହିଁ। ପ୍ରାଥମିକ ଶିକ୍ଷାନୁଷ୍ଠାନ ନ ଥିବାରୁ ଗାଁ ପିଲାମାନେ କଦଳୀବାଡ଼ି ସ୍କୁଲକୁ ଯାଇ ପାଠ ପଢ଼ିଥାନ୍ତି ବୋଲି ଗ୍ରାମର ୱାର୍ଡମେମ୍ବର ଦେଶ ଜୁଆଙ୍ଗ କହିଛନ୍ତି। ଗ୍ରାମର ଅଧିକାଂଶ ପରିବାର ଗରିବ। ସେମାନେ ସରକାରଙ୍କ ଠାରୁ ପାଉଥିବା ଚାଉଳ, ଭତ୍ତାକୁ ଆଶ୍ରା କରି କୌଣସି ପ୍ରକାରେ ଗୁଜରାଣ ମେଣ୍ଟାଉଛନ୍ତି। କେତେକ ପରିବାର ଗାଈ, ଗୋରୁ ଓ ଛେଳି ପାଳନ କରୁଛନ୍ତି। ଶିକ୍ଷା, ସ୍ବାସ୍ଥ୍ୟ, କୃଷି, ପାନୀୟଜଳ ଓ ବିଦ୍ୟୁତ ଆଦି କ୍ଷେତ୍ରରେ ସମ୍ପର୍ଣ୍ଣ ଅବହେଳିତ ଏହି ଗ୍ରାମର ୩ ଜଣ ଜୁଆଙ୍ଗ ପାଠ ପଢ଼ି ଶିକ୍ଷକ ଭାବେ ଅନ୍ୟତ୍ର ଚାକିରି କରୁଥିବା ଗ୍ରାମବାସୀ କହିଛନ୍ତି।
ବୈତରଣୀ ଗ୍ରାମକୁ ଗଲେ ଗ୍ରାମବାସୀଙ୍କ ଦାରିଦ୍ର୍ୟ ଜୀବନର ଛବି ଜଳଜଳ ହୋଇ ଦିଶେ। ଗାଁ ମଧ୍ୟଭାଗରେ ଏକ ମଣ୍ଡଘର ରହିଛି। ଏହା ଗ୍ରାମବାସୀଙ୍କ ସାଂସ୍କୃତିକ ପରମ୍ପରାର ମୂକସାକ୍ଷୀ ବୋଲି ଗ୍ରାମବାସୀ କହନ୍ତି। ଅନେକ ସମୟରେ ଗାଁକୁ ବିଦ୍ୟୁତ ସରବରାହ କାହିଁକି ବନ୍ଦ ରହେ ପଚାରିଲେ କାହାଠାରୁ କିଛି ଉତ୍ତର ମିଳେନାହିଁ। ସ୍ବାସ୍ଥ୍ୟ ସେବା ପାଇଁ ନିକଟସ୍ଥ ଗୋନାସିକା ସ୍ବାସ୍ଥ୍ୟକେନ୍ଦ୍ର ଏବଂ ଜରୁରୀ ଚିକିତ୍ସା ପାଇଁ କାଞ୍ଜିପାଣି ଓ କେନ୍ଦୁଝର ଡାକ୍ତରଖାନାକୁ ଲୋକେ ଯାଇଥାନ୍ତି। ବୈତରଣୀ ନଦୀ ନାମରେ ପ୍ରତିଷ୍ଠିତ ଏହି ଗ୍ରାମରେ ଉନ୍ନୟନ କାର୍ଯ୍ୟ କରାଗଲେ ଏହା ପର୍ଯ୍ୟଟକମାନଙ୍କ ଦୃଷ୍ଟି ଆକର୍ଷଣ କରିପାରନ୍ତା ବୋଲି ଗ୍ରାମବାସୀ କହିଛନ୍ତି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।