ଗଇଲୋ ଅଞ୍ଚଳରେ ନରହନ୍ତା ଦନ୍ତା

ଢେଙ୍କାନାଳ ଅଫିସ, ୧୨।୫- ଢେଙ୍କାନାଳ ଜିଲା ପରଜଙ୍ଗ ଅଞ୍ଚଳରେ ଦୀର୍ଘଦିନ ଧରି ଆତଙ୍କ ସୃଷ୍ଟି କରିଥିବା ନରହନ୍ତା ଦନ୍ତା ହାତୀକୁ ଶୁକ୍ରବାର ଓଡ଼ାପଡ଼ା ବ୍ଲକ ସଦର ରେଞ୍ଜ ଗଇଲୋ ଅଞ୍ଚଳରେ ଠାବ କରାଯାଇଛି। ଏହାକୁ ନେଇ ସାଧାରଣରେ ଭୟ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି।

ତାଳଚେର ଅଞ୍ଚଳରେ ୫ଜଣଙ୍କ ଜୀବନ ନେବାପରେ ଟ୍ରାଙ୍କୁଲାଇଜ କରି ଉକ୍ତ ହାତୀର ଦାନ୍ତ କଟାଯାଇଥିଲା। ଏହାପରେ ହାତୀର ହିଂସ୍ର ଆଚରଣ କମିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଥିଲା। ତଥାପି ହାତୀଟି ଜନବସତିରେ ପଶି ବ୍ୟାପକ କ୍ଷତି କରୁଛି। ଶୁକ୍ରବାର ସନ୍ଧ୍ୟାରେ ଉକ୍ତ ଦନ୍ତାହାତୀ ଓଡ଼ାପଡ଼ା ବ୍ଲକ ଗଇଲୋ ଅଞ୍ଚଳରେ ପଶିଥିଲା। ରାତିରେ ମେରାମଣ୍ଡଳୀ ଅଞ୍ଚଳରେ ଏକ ଘର ଭାଙ୍ଗିଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ଧନଜୀବନ ହାନି ଭୟରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ହାତୀକୁ ତୁରନ୍ତ ଅନ୍ୟତ୍ର ଘଉଡ଼ାଇବାକୁ ସାଧାରଣରେ ଦାବି ହେଉଛି। ଏ ନେଇ ସହକାରୀ ବନ ସଂରକ୍ଷକ ଜିତେନ୍ଦ୍ରନାଥ ଦାସ କୁହନ୍ତି, ଦନ୍ତାହାତୀ ପରଜଙ୍ଗ ଅଞ୍ଚଳର ଡିହଡୋଳ, ଅନୁଗୋଳ ଜିଲା ସମେତ ଢେଙ୍କାନାଳ ସଦର ରେଞ୍ଜ ଅଧୀନ ଓଡ଼ାପଡ଼ା ବ୍ଲକ ଅଞ୍ଚଳରେ ଚଲାବୁଲା କରୁଛି। ବନ ବିଭାଗ କର୍ମଚାରୀ ହାତୀ ଗତିବିଧି ଉପରେ ନଜର ରଖିଛନ୍ତି।