Categories: ଜାତୀୟ

ଗଗନଯାନ ମିଶନର ମହାକାଶଚାରୀଙ୍କ ପାଇଁ ସ୍ବତନ୍ତ୍ର ଖାଦ୍ୟର ବ୍ୟବସ୍ଥା କଲା ଡିଆର୍‌ଡିଓ

ବେଙ୍ଗାଲୁରୁ,୭।୧: ଗଗନଯାନ ୨୦୨୨ରେ ମହାକାଶ ଯାତ୍ରା କରିବ। ଏଥିପାଇଁ ବୈଜ୍ଞାନିକମାନେ ସମସ୍ତ ପ୍ରସ୍ତୁତି ଚଳାଇଛନ୍ତି। ତେବେ ଏହି ମିଶନରେ ଯାଉଥିବା ମହାକାଶଚାରୀଙ୍କ ପାଇଁ ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭଲପ୍‌ମେଣ୍ଟ ଅର୍ଗାନାଇଜେଶନ୍‌ (ଡିଆର୍‌ଡିଓ) ପକ୍ଷରୁ ସ୍ବତନ୍ତ୍ର ଖାଦ୍ୟ ମେନ୍ୟୁର ବ୍ୟବସ୍ଥା କରାଯାଇଛି। ଏହି ଖାଦ୍ୟଗୁଡିକୁ ଡିଆର୍‌ଡିଓର ମହୀଶୂର ପ୍ରୟୋଗଶାଳାରେ ତିଆରି କରାଯାଇଛି। ମହାକାଶଚାରୀଙ୍କ ଖାଇବା ପାଇଁ ଡିଆରଡିଓ ଏଗ୍‌ ରୋଲ, ଭେଜ୍‌ ରୋଲ, ଇଡ୍‌ଲି, ମୁଗ ଡାଲି, ହାଲ୍‌ଓ୍ବା ଓ ଭେଜ୍‌ ପୁଲାଓ ପ୍ରସ୍ତୁତ କରିଛି। କହିବାକୁ ଗଲେ ଏହି ଖାଦ୍ୟଗୁଡ଼ିକ ସାମାନ୍ୟ ଲାଗୁଛି। ହେଲେ ଯେପରି ଜିରୋ ଗ୍ରାଭିଟିରେ ମହାକାଶଚାରୀ ଭଲଭାବେ ଏହାକୁ ଖାଇପାରିବେ ସେନେଇ ବ୍ୟବସ୍ଥା କରାଯାଇଛି। ଖାଇବା ସମୟରେ ସେମାନଙ୍କୁ ଯେପରି କୌଣସି ଅସୁବିଧା ନ ଉପୁଜେ ତାହାକୁ ଦୃଷ୍ଟିରେ ରଖି ଡିଆର୍‌ଡିଓ ଏହି ଖାଦ୍ୟ ପ୍ରସ୍ତୁତ କରିଛି। କେବଳ ସେତିକି ନୁହେଁ, ଖାଇବା ଗରମ କରିବା ପାଇଁ ମଧ୍ୟ ସେମାନଙ୍କୁ ଫୁଡ୍‌ ହିଟର ପ୍ରଦାନ କରାଯିବ। ଏହାକୁ ମଧ୍ୟ ଡିଆର୍‌ଡିଓର ମହୀଶୂର ପ୍ରୟୋଗଶାଳାରେ ପ୍ରସ୍ତୁତ କରାଯାଇଛି। ଆଉ ଏଥିପାଇଁ ସ୍ବତନ୍ତ୍ର କଣ୍ଟେନର ମଧ୍ୟ ତିଆରି କରାଯାଇଛି। ଯାହାଦ୍ୱାରା ମହାକାଶଚାରୀ ଜିରୋ ଗ୍ରାଭିଟିରେ ବି ପାଣି ଓ ଜୁସ୍‌ ମଧ୍ୟ ପିଇପାରିବେ। କିଛିଦିନ ତଳେ ଏକ ଖବରଦାତା ସମ୍ମିଳନୀରେ ଗଗନଯାନ ପାଇଁ ୪ ମହାକାଶଚାରୀ ଚୟନ ହୋଇଥିବା ବେଳେ ସେମାନେ ବାୟୁସେନାର ସଦସ୍ୟ ବୋଲି ଇସ୍ରୋ ଅଧ୍ୟକ୍ଷ କେ.ଶିବନ ସୂଚନା ଦେଇଥିଲେ। ଆଉ ଏମାନଙ୍କର ପ୍ରଶିକ୍ଷଣ ଜାନୁୟାରୀ ତୃତୀୟ ସପ୍ତାହରେ ଆରମ୍ଭ ହେବ ବୋଲି ଜଣାପଡ଼ିଛି।

Share