Categories: ଜାତୀୟ

ଗଗନୟାନ ମିଶନ: ବ୍ୟୋମମିତ୍ରା ମାନବ ରୋବୋର ଭିଡ଼ିଓ ଜାରି କଲା ଇସ୍ରୋ

ବେଙ୍ଗାଲୁରୁ,୨୨।୧: ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ପକ୍ଷରୁ ୨୦୨୨ରେ ଗଗନୟାନ ମିଶନ କରାଯିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଏହା ପୂର୍ବରୁ ମାନବ ରୋବୋ ବ୍ୟୋମମିତ୍ରାକୁ ଏକ ମାନବ ବିହୀନ ରକେଟରେ ମହାକାଶକୁ ପଠାଯିବାର ଯୋଜନା କରାଯାଇଛି। ବୁଧବାର ବ୍ୟୋମମିତ୍ରାର ଫଟୋ ଏବଂ ଭିଡ଼ିଓ ଇସ୍ରୋ ପକ୍ଷରୁ ଜାରି କରାଯାଇଛି। ଏହା ମଣିଷ ଭଳି ଆଚରଣ ପ୍ରଦର୍ଶନ କରିବାକୁ ସକ୍ଷମ। କେତେକ ପ୍ରଶ୍ନରେ ଏହି ରୋବୋ ବିଶ୍ଲେଷଣାତ୍ମକ ସମୀକ୍ଷା କରିପାରିବ ବୋଲି ଇସ୍ରୋ ବୈଜ୍ଞାନିକ ସୈମ୍‌ ଦୟାଲ ସୂଚନା ଦେଇଛନ୍ତି। ୨୦୨୦ ଡିସେମ୍ବର ଏବଂ ୨୦୨୧ ଜୁଲାଇରେ ରୋବୋ ବ୍ୟୋମମିତ୍ରାକୁ ମହାକାଶକୁ ପଠାଯିବ ବୋଲି ଇସ୍ରୋ ମୁଖ୍ୟ କେ. ଶିବନ କହିଛନ୍ତି। ଇସ୍ରୋର ଗଗନୟାନ ମାନବ ମିଶନରେ ସାମିଲ୍‌ ହେବାକୁଥିବା ୪ ଜଣ ମହାକାଶଚାରୀଙ୍କୁ ଚଳିତ ବର୍ଷ ଜାନୁୟାରୀ ଶେଷ ସପ୍ତାହରେ ତାଲିମ ପାଇଁ ରୁଷିଆ ପଠାଯିବାର କାର୍ଯ୍ୟକ୍ରମ ରହିଛି। ଗଗନୟାନ ମିଶନ କେବଳ ଜାତୀୟ ନୁହେଁ ଅନ୍ତର୍ଜାତୀୟସ୍ତରରେ ମଧ୍ୟ ବହୁ ସକାରାତ୍ମକ ପ୍ରଭାବ ସୃଷ୍ଟି କରିବ। ଇସ୍ରୋର ଏହି ମିଶନରେ କୌଣସି ମହିଳା ମହାକାଶଚାରୀ ସାମିଲ୍‌ ହେବେ ନାହିଁ। ତେବେ ମାନବ ବିହୀନ ମିଶନରେ ମହିଳାଙ୍କ ପ୍ରତିକୃତି ସଦୃଶ ରୋବୋ ବ୍ୟୋମମିତ୍ରାକୁ ପଠାଯିବ। ଏହା ମହାକାଶର ତାପମାତ୍ରା ମାପିବା ସହିତ ହୃଦ ସ୍ପନ୍ଦନ ରେକର୍ଡ କରିବା ଆଦି ବହୁ ଉଲ୍ଲେଖନୀୟ କାର୍ଯ୍ୟ ସମ୍ପନ୍ନ କରିବ। ପରେ ଏହାକୁ ମାନବ ମିଶନରେ ମଧ୍ୟ ସାମିଲ୍‌ କରାଯିବ ବୋଲି ଶିବନ କହିଛନ୍ତି।

Share