Categories: ଜାତୀୟ

ଗଗନୟାନ ଲାଗି ପ୍ରସ୍ତୁତି ଜୋର୍‌ଦାର

ବେଙ୍ଗାଲୁରୁ, ୭ା୯(ପି.ଟି.) : ଚନ୍ଦ୍ରୟାନ-୨ ପରେ ଗଗନୟାନ ଲାଗି ଭାରତର ପ୍ରସ୍ତୁତି ଜୋର୍‌ ଧରିବାରେ ଲାଗିଛି। ଏଥିଲାଗି ପ୍ରଥମ ପର୍ଯ୍ୟାୟରେ ଭାରତୀୟ ମହାକାଶଚାରୀଙ୍କ ଚୟନ ଶେଷ ହୋଇଥିବା ଭାରତୀୟ ବାୟୁସେନା ପକ୍ଷରୁ କୁହାଯାଇଛି। ମହାକାଶକୁ ପ୍ରଥମ ମଣିଷ ପଠାଯିବା ଲାଗି ଗଗନୟାନର ସଫଳତା କାମନା କରାଯାଇଛି। ବଛାଯାଇଥିବା ପାଇଲଟ୍‌ଙ୍କ ବିଭିନ୍ନ ପରୀକ୍ଷା କରାଯାଇଥିବା ଭାରତୀୟ ବାୟୁସେନା ପକ୍ଷରୁ ଟୁଇଟ୍‌ କରି କୁହାଯାଇଛି। ଚଳିତ ବର୍ଷ ମେ’ରେ ଭାରତୀୟ ବାୟୁସେନା ଇସ୍ରୋ ସହ ଏକ ଚୁକ୍ତି କରି ଗଗନୟାନ ମିଶନ ଲାଗି ମାନବ ଚୟନ ଓ ପ୍ରଶିକ୍ଷଣ ଦେବ ବୋଲି କହିଥିଲା। ୨୦୨୧ ଡିସେମ୍ବରରେ ଏହାକୁ ଲଞ୍ଚ କରାଯିବାକୁ ଥିବାବେଳେ ୩ ସଦସ୍ୟ ମହାକାଶରେ ଅତି କମ୍‌ରେ ୭ ଦିନ କଟାଇବେ ବୋଲି ଜଣାପଡ଼ିଛି। ଏଥିଲାଗି ଜିଏସ୍‌ଏଲ୍‌ଭି ମ୍ୟାକ୍‌-୩କୁ ବ୍ୟବହାର କରାଯିବ। ପ୍ରକାଶଥାଉ କି, ଗତବର୍ଷ ସ୍ବାଧୀନତା ଦିବସରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଗନୟାନ ସମ୍ପର୍କରେ ଘୋଷଣା କରିଥିଲେ। ଏହି ମିଶନରେ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଗତବର୍ଷ ଏହା କ୍ୟାବିନେଟର ଅନୁମୋଦନ ଲାଭ କରିଥିଲା।

Share