Categories: ଜାତୀୟ

ଗଗନ ମିଶନରେ ୩ ଭାରତୀୟ କରିବେ ଯାତ୍ରା: ଇସ୍ରୋ ସହିତ ବାୟୁସେନା କଲା ବୁଝାମଣା

ବେଙ୍ଗାଲୁର,୩୦।୫: ଭାରତ ମହାକାଶ ମାନବ ମିଶନରେ କାର୍ଯ୍ୟ ଜାରି ରଖିଛି। ଆସନ୍ତା ୨୦୨୧-୨୨ ସୁଦ୍ଧା ୩ ଭାରତୀୟ ଗଗନ ମିଶନରେ ସାମିଲ୍‌ ହେବେ। ଏଥିପାଇଁ ଭାରତୀୟ ବାୟୁସେନା ପକ୍ଷରୁ ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ସହିତ ବୁଝାମଣା ହୋଇଛି। ଏ ସମ୍ପର୍କରେ ବାୟୁସେନା ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି। ବାୟୁସେନା ଏହି ୩ ଯାତ୍ରୀଙ୍କୁ ଚୟନ କରିବା ସହିତ ଆବଶ୍ୟକ ଟ୍ରେନିଂ ପ୍ରଦାନ କରିବ ବୋଲି କୁହାଯାଉଛି। ମହାକାଶକୁ ଗଗନୟାନ ଛଡ଼ାଯିବା ପୂର୍ବରୁ ଜିଏସ୍‌ଏଲଭି ମାର୍କ-୩ ସହାୟତାରେ ୨ଟି ମାନବ ବିହୀନ ମହାକାଶ ଯାନ ଛଡାଯିବ। ଭାରତର ଗଗନ ମିଶନ ଯୋଜନାରେ ୯୦୨୩ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ଆମେରିକା, ଚାଇନା ଏବଂ ରୁଷିଆ ମହାକାଶକୁ ମାନବ ଯାନ ପଠାଇ ସାରିଛନ୍ତି। ଭାରତ ଏଥିରେ ସଫଳ ହେଲେ ପୃଥିବୀର ଚତୁର୍ଥ ଦେଶର ମାନ୍ୟତା ହାସଲ କରିବ।

Share