ଗଙ୍ଗଲାଗୁଡ଼ା ଗ୍ରାମକୁ ନାହିଁ ରାସ୍ତା: ପ୍ରତିବାଦରେ ରାସ୍ତାରେ ତଳି ରୋପଣ କଲେ ଗ୍ରାମବାସୀ, ତୁରନ୍ତ ପଦକ୍ଷେପ ନେବାକୁ ଦାବି

କୋରୁକୋଣ୍ଡା,୭।୯(ଡି.ଏନ୍‌.ଏ.): ସରକାର ପ୍ରତି ଗ୍ରାମକୁ ସଡ଼କପଥ ସହ ଯୋଡ଼ିବା ନିମନ୍ତେ ବହୁ ଯୋଜନା କରିଛନ୍ତି। ହେଲେ ଏହାର ସଫଳ ରୂପାୟନ ମାଲକାନଗିରି ଜିଲାରେ ହୋଇପାରୁନାହିଁ। ଆଜିବି ଲୋକେ କାଦୁଅ ରାସ୍ତାରେ ଯିବା ଆସିବା କରୁଛନ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ପୋଟରେଲ ପଞ୍ଚାୟତ ସ୍ଥିତ ଗଙ୍ଗଲାଗୁଡ଼ା ଗ୍ରାମରେ।

ଦୀର୍ଘ ୧୨ରୁ ୧୫ ବର୍ଷ ହେବ ଗ୍ରାମକୁ ରାସ୍ତା ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗ୍ରାମବାସୀ ରାସ୍ତାରେ ଧାନ ତଳି ରୋପଣ କରି ଏହାର ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି। ଗ୍ରାମର ୱାର୍ଡ ମେମ୍ବର ମାଳତୀ କବାସୀ, ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀଙ୍କ ସହ ଗ୍ରାମବାସୀମାନେ ମିଶି ତଳି ରୋପଣ କରିଛନ୍ତି। ଏ ଦିଗରେ ପ୍ରଶାସନ ତୁରନ୍ତି ପଦକ୍ଷେପ ନ ନେଲେ ଆଗାମୀ ଦିନରେ ଗ୍ରାମବାସୀ ବ୍ଲକ ଅଫିସ ଆଗରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି।

ସୂଚନାନୁଯାୟୀ, ରାସ୍ତାର ଗୋଟିଏ ପାର୍ଶ୍ୱରେ ଜଳସେଚନ ବିଭାଗର କେନାଲ ଯାଇଥିବା ହେତୁ ଗ୍ରାମବାସୀ ରାସ୍ତା ନିର୍ମାଣ ନେଇ ଲିଖିତ ଅଭିଯୋଗ କରୁଥିଲେ ହେଁ କୌଣସି ସୁଫଳ ମିଳି ନାହିଁ। ଯଦି ରାସ୍ତା ନିର୍ମାଣ କରିବାକୁ ଇଚ୍ଛୁକ, ତେବେ ଡିଆର୍‌ଡିଏ ଅଫିସରେ ଯାଇ ଅଭିଯୋଗ କରିବାକୁ ବିଭାଗ ପକ୍ଷରୁ କୁହାଯାଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। କୋରୁକୋଣ୍ଡା ସଦରଠାରୁ ମାତ୍ର ୫ କିଲୋମିଟର ଦୂରରେ ଏହି ଗାଁ ଥିଲେ ସୁଦ୍ଧା ରାସ୍ତା ନ ଥିବାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ପ୍ରଶାସନ ଜାଣିଶୁଣି ନିରବଦ୍ରଷ୍ଟା ସାଜିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ବର୍ତ୍ତମାନ ବର୍ଷା ଦିନ ହେତୁ କୌଣସି ରୋଗୀକୁ ନେବା ପାଇଁ ଆମ୍ବୁଲାନ୍ସ ଗାଡି ଆସିବା ସମୟରେ ବହୁତ ଥର ଆମ୍ବୁଲାନ୍ସ ଗାଡି କାଦୁଅରେରେ ଫସିରହୁଛି। ଛୋଟ ଛୋଟ ପିଲାମାନେ ବିଦ୍ୟାଳୟକୁ ଯିବା ବାଟରେ ଅନେକ ଥର ପଡି ଆହତ ମଧ୍ୟ ହୋଇଛନ୍ତି। ରାସ୍ତା ଠିକ ନ ଥିବା ହେତୁ ଗ୍ରାମବାସୀ ୩ କିଲୋମିଟର ପରିବର୍ତ୍ତେ ୬ କିଲୋମିଟର ରାସ୍ତା ଦେଇ ଲୋକେ ବ୍ଲକକୁ ଯାଉଛନ୍ତି ବୋଲି ଅଭିଯୋଗ କରିଛନ୍ତି।

Share