ଗଙ୍ଗାଜଳ ଆଣି ଆରଡ଼ି ପୀଠରେ ପହଞ୍ଚିଲେ ହରିହର

ଆରଡ଼ି,୧୨।୮ (ଡି.ଏନ.ଏ.) – ଶ୍ରାବଣ ମାସର ପ୍ରତି ସୋମବାର ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିରେ କାଉଡ଼ିଆ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି। ବହୁ ଦୂରଦୂରାନ୍ତରୁ କାଉଡ଼ିଆମାନେ ନିଜର ମାନସିକ ପୂରଣ ପାଇଁ ପୀଠକୁ ଛୁଟି ଆସୁଛନ୍ତି। ଆଉ ମଣିବାବାଙ୍କୁ ଜଳଲାଗି କରୁଛନ୍ତି। ହରିହର ମଳିକ(୫୫) ନାମକ ଜଣେ ଶ୍ରଦ୍ଧାଳୁ ୧୨ ଦିନ ବାଟ ଚାଲି ୪୦୦ରୁ ଊର୍ଦ୍ଧ୍ୱ କି.ମି. ପଥ ଅତିକ୍ରମ କରି ରବିବାର ସକାଳେ ଆସି ବାବା ଆଖଣ୍ଡଳମଣିଙ୍କ ପୀଠରେ ପହଞ୍ଚିଛନ୍ତି। ସେ ନିଜର ମାନସିକ ପୂରଣ ଲାଗି ସୁଦୂର କଲିକତାସ୍ଥିତ ଗଙ୍ଗା ନଦୀରୁ ଗତ ୩୧ ତାରିଖରେ ଜଳ ଉଠାଇ ଭାର କରି ଏଠାକୁ ଯାତ୍ରାରେ ବାହାରିଥିଲେ। ତାଙ୍କ ଘର ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ଅନ୍ତର୍ଗତ ଇଚ୍ଛାପୁର ଗଁାରେ। ସେ ରବିବାର ସକାଳେ ଆସି ମଠଡିହରେ ପହଞ୍ଚିଥିଲେ। ସେଠାରେ କିଛି ସମୟ ବିଶ୍ରାମ ନେବା ପରେ ପୀଠକୁ ଯାତ୍ରା କରିଥିଲେ। ସୋମବାର ସକାଳେ ଜଳଲାଗି କରିବେ। ବାବାମଣିଙ୍କ ଅପାର କରୁଣା ନ ଥିଲେ ସେ ନିଜର ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରି ନ ଥାନ୍ତେ ବୋଲି କହିଛନ୍ତି।