ଗଛମୂଳେ ଚାଲିଛି ଅଙ୍ଗନୱାଡି କେନ୍ଦ୍ର

ତେଲକୋଇ, ୨୮।୭(ଡି.ଏନ.ଏ.)-ଆଦିବାସୀ ବହୁଳ ତେଲକୋଇ ବ୍ଲକ ଅଧୀନରେ ଅଙ୍ଗନୱାଡି କେନ୍ଦ୍ରରେ ବହୁ ଅବ୍ୟବସ୍ଥା ରହିଛି। ସ୍ବତନ୍ତ୍ର ଅଙ୍ଗନଓ୍ବାଡି କେନ୍ଦ୍ର ନ ଥିବା ଯୋଗୁ ଗ୍ରାମ ମଣ୍ଡପ ଓ ଅନ୍ୟ କାହା ଘର ବାରଣ୍ଡା କିମ୍ବା ଗଛମୂଳେ ଚାଲିଛି ଅଙ୍ଗନୱାଡି କେନ୍ଦ୍ର ଯୋଜନା। ଏହି ଯୋଜନାରେ ଛୋଟ ଛୁଆଙ୍କ ପାଠପଢ଼ା ମା’ଙ୍କ ପୁଷ୍ଟିକର ଖାଦ୍ୟ ଏବଂ ଛୁଆଙ୍କ ପାଇଁ ଖାଦ୍ୟ ଯୋଜନା ଚାଲିଥିବା ବେଳେ ତେଲକୋଇ ବ୍ଲକ ଅଧୀନରେ ଏହାର ପ୍ରତିଫଳନ ହୋଇଛି ଗଛମୂଳରେ। ଏନେଇ ଶିଶୁମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବର୍ଷାଦିନରେ ଏହି କେନ୍ଦ୍ରକୁ ବନ୍ଦ କରାଯାଉଛି। ତେବେ ଗଛମୂଳରେ ସେମାନଙ୍କ ଜୀବନ ପ୍ରତି ମଧ୍ୟ ବିପଦ ରହୁଛି। ସରକାର ଶିଶୁଙ୍କ ପାଇଁ ବିଭିନ୍ନ ପ୍ରକାର ଯୋଜନା କରିଛନ୍ତି। କିନ୍ତୁ ଏହି ଜିଲାରେ ଯୋଜନା ଗୁଡ଼ିକର ସଫଳ ରୂପାୟନ ହୋଇପାରୁ ନାହିଁ।
ଏଭଳି ରାଇସୁଆଁ ପଞ୍ଚାୟତ ଅଧୀନରେ ଥିବା ରାଣୀବେଡାର ୩ନଂ ଅଙ୍ଗନୱାଡ଼ି କେନ୍ଦ୍ରରେ ୩ବର୍ଷ ହେବ ଗୃହ ନ ଥିବା ଯୋଗୁ ଏକ ଗଛମୂଳେ କେନ୍ଦ୍ର ଚାଲିଛି। ଏହି ଅଙ୍ଗନଓ୍ବାଡ଼ି କେନ୍ଦ୍ରରେ କର୍ମୀ ଓ ହେଲ୍‌ପର ରହିଛନ୍ତି । ୧୫ଜଣ ଶିଶୁ ଓ ୧୦ଜଣ ଗର୍ଭବତୀ ମହିଳାଙ୍କ ପାଇଁ ପୁଷ୍ଟିକର ଖାଦ୍ୟ ସହିତ ପାଠପଢା କାର୍ଯ୍ୟ କରାଯାଉଛି। ହେଲେ ଉକ୍ତ କେନ୍ଦ୍ରରେ ସମସ୍ତ ଶିଶୁ ଓ ମହିଳା ଜୁଆଙ୍ଗ ଜନଜାତିର। ଗୃହ ଅଭାବରୁ ଗଛମୂଳେ ପାଠପଢା ଓ ଖାଦ୍ୟ ବ୍ୟବସ୍ଥା ହେଉଥିବା ଯୋଗୁ ବଜ୍ରପାତ ଆଶଙ୍କାକୁ ନେଇ ଅଭିଭାବକମାନେ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏହି ଜଙ୍ଗଲ ଅଞ୍ଚଳରେ ବଜ୍ରପାତ ଯୋଗୁ ଗଛମୂଳେ ଗାଈଗୋରୁ ଛେଳି ସମେତ ଲୋକଙ୍କ ଜୀବନହାନି ହେଉଥିବା ବେଳେ ଏଭଳି ଗଛମୂଳେ ଅଙ୍ଗନଓ୍ବାଡ଼ି କେନ୍ଦ୍ର ରହିଥିବା ନେଇ ଅଭିଯୋଗରେ ଦର୍ଶାଇଛନ୍ତି। ଗଛମୂଳେ ଖାଦ୍ୟ ପରିବେଷଣ କରୁଥିବା ହେଲ୍‌ପର ବିନତୀ ଦଳନାୟକଙ୍କୁ ପଚାରିବାରୁ ୩ବର୍ଷ ହେବ ଗୃହ ନଥିବା ଯୋଗୁ ଉକ୍ତ ଗଛମୂଳେ କେନ୍ଦ୍ର ଚାଲିଛି । ବର୍ଷା ହେଲେ ଛୁଆଙ୍କୁ ପାଠ ପଢ଼ିବାକୁ ଯିବାକୁ ମନା କରାଯାଇଥାଏ। ତେବେ ଏ ସମ୍ପର୍କରେ ବ୍ଲକ ଶିଶୁ ପ୍ରକଳ୍ପ ଅଧିକାରୀ ପ୍ରତିଭା ମିଶ୍ରଙ୍କୁ ପଚାରିବାର ନୂତନ ଗୃହ ନିର୍ମାଣ ପାଇଁ ପ୍ରସ୍ତାବ ଦିଆଯାଇଛି। ତେବେ ଆମେ ସରକାରଙ୍କ ଅଧୀନରେ ଅଛୁ ଆଉ କ’ଣ କରିପାରିବୁ । ଗୃହ ନିର୍ମାଣ ପାଇଁ ଜିଲା ପ୍ରଶାସନଙ୍କୁ ଜଣାଇବୁ ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।