ଗଛରୁ ପଡ଼ି ଛାତ୍ର ଗୁରୁତର : ବିଦ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ

କପ୍ତିପଦା,୧୯ା୧୨(ଡି.ଏନ୍‌.ଏ.)- କପ୍ତିପଦା ବ୍ଲକ୍‌ ଶରତ ଥାନା କେଶପଡ଼ା ଜୁରିଆ ସାହି ପ୍ରାଥମିକ ବିଦ୍ୟାଳୟର ଜଣେ ଛାତ୍ର ମଙ୍ଗଳବାର ଗଛରୁ ପଡ଼ି ଗୁରୁତର ଆହତ ହୋଇଛନ୍ତି ା ଏନେଇ ଗ୍ରାମବାସୀମାନେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଅବହେଳାକୁ ଦାୟୀ କରିବା ସହିତ ବିଦ୍ୟାଳୟରେ ତାଲା ପକାଇ ପ୍ରତିବାଦ କରିଛନ୍ତି। ଛାତ୍ରଜଣକ ଗୁରୁତର ହୋଇ ପଡ଼ିଥିଲେ ମଧ୍ୟ ପ୍ରଧାନ ଶିକ୍ଷୟିତ୍ରୀ ତାଙ୍କୁ ଚିକିତ୍ସା ନିମନ୍ତେ ନ ପଠାଇ ପରିବାର ଲୋକଙ୍କୁ ଅପେକ୍ଷା କରିବା ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ଗ୍ରାମବାସୀ ବିଦ୍ୟାଳୟରେ ତାଲା ପକାଇବା ସହିତ ପ୍ରଧାନଶିକ୍ଷୟିତ୍ରୀଙ୍କ ବଦଳି ଦାବି କରିଛନ୍ତି। ଆହତ ଛାତ୍ର ଜଣକ ହେଲେ ଟୁରି ସିଂ। ସେ ପ୍ରଥମ ଶ୍ରେଣୀର ପଢୁଥିଲେ। ମଙ୍ଗଳବାର ସେ ପାଠ ପଢିବାକୁ ଯାଇଥିବା ବେଳେ ବିଦ୍ୟାଳୟକୁ ଲାଗି ରହିଥିବା ଏକ ଗଛରେ ଚଢିବା ବେଳେ ତଳକୁ ଖସି ପଡ଼ିଥିଲେ। ଖବରପାଇ ପରିବାର ଲୋକେ ଲୋକେ ତାଙ୍କୁ ଚିକିତ୍ସା ପାଇଁ ପ୍ରଥମେ ଶରତ ଡ଼ାକ୍ତରଖାନା ଓ ପରେ କଟକ ବଡଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।