ଗଛରେ ଝୁଲୁଛି ୩ ମୃତଦେହ

ଛେଣ୍ଡିପଦା,୨୯ା୭(ସ୍ବ.ପ୍ର.)- ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ବାଲିପଟା ପଞ୍ଚାୟତର ଡିମିରିପଦା ପାହାଡ଼କୁ ଲାଗିଥିବା ବାଲିକୁଦିଆ ଜଙ୍ଗଲର ଏକ ଗଛରେ ୩ ଜଣଙ୍କ ମୃତଦେହ ଝୁଲୁଥିବା ବୁଧବାର ରାତିରେ ଦେଖିବାକୁ ମିଳିଛି। ବାଲିପଟା ଗାଁର ଜଣେ ଗାଈ ଚରାଳି ସାରେ ଫେରୁଥିବା ବେଳେ ଦୁର୍ଗନ୍ଧ ବାରି ଏକ ଗଛ ନିକଟକୁ ଯିବା ପରେ ସେଠାରେ ଜଣେ ଯୁବତୀ ଓ ଦୁଇ ଯୁବକଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ପାଇଥିଲେ। ଏ ନେଇ ସେ ଗାଁରେ ଜଣାଇବା ପରେ କେତେଜଣ ଯୁବକ ଘଟଣାସ୍ଥଳକୁ ଯାଇ ଗଛରେ ୩ ଜଣଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଥିବା ଦେଖିଥିଲେ। ମୃତଦେହ ଗୁଡିକ ୪/୫ଦିନ ତଳର ଓ କଳା ପଡିଯାଇଥିବାରୁ ସ୍ଥାନୀୟ ଲୋକେ ମୃତକମାନଙ୍କୁ ଚିହ୍ନି ପାରିନାହାନ୍ତି। ଏ ସମ୍ପର୍କରେ ଛେଣ୍ଡିପଦା ଥାନା ଅଧିକାରୀ କନକ କୁମାର ମାଝି କହିଛନ୍ତି, ଏପରି ଏକ ଖବର ମିଳିଛି। ଗୁରୁବାର ଘଟଣାସ୍ଥଳକୁ ଯିବା ପରେ ଯାହାକିଛି ଜଣାପଡ଼ିବ। ତେବେ ଏହା ଆତ୍ମହତ୍ୟା ନା ହତ୍ୟାକାଣ୍ଡ ତାହାକୁ ନେଇ ସାଧାରଣରେ ନାନା ଚର୍ଚ୍ଚା ଚାଲିଛି।

Share