ଗଛରେ ପିଟିହେଲା ବସ୍‌, ୩୫ ଆହତ

ଯୋଡ଼ା,୨୯।୮(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ କେତ୍‌ ହାଟିଂଠାରେ ଏକ ବସ୍‌ ଦୁର୍ଘଟଣା ଘଟି ୩୪ ଜଣ ଆହତ ହୋଇଥିବାବେଳେ ଜଣେ ଗୁରୁତର ହୋଇଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ ଯେ, ଟାଟା କମ୍ପାନୀର ଠିକାସଂସ୍ଥା ନଟରାଜ ବସ୍‌ ନଂ ଓଡି ୦୫ ଭି ୬୪୦୪ ବସ୍‌ଟି ଗୁରୁବାର ସକାଳେ ଟାଟା ପ୍ରୋଜେକ୍ଟ ଲିମିଟେଡ(ଟିପିଏଲ)ର କର୍ମଚାରୀମାନଙ୍କୁ ନେଇ ଖଣ୍ଡବନ୍ଧ ଖଣିକୁ ଯାଉଥିବା ବେଳେ କେତ୍‌ ହାଟିଂ (କେ-୧୩) ଠାରେ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଥିଲା। ଫଳରେ ବସ୍‌ଟି ଭାଙ୍ଗିରୁଜି ଯିବା ସହିତ ବସ୍‌ରେ ବସିଥିବା ୭୦ କର୍ମଚାରୀଙ୍କ ମଧ୍ୟରୁ ୩୫ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଟାଟା ଟିସ୍କୋ ମେଡିକାଲକୁ ଚିକିତ୍ସା ପାଇଁ ପଠାଯାଇଥିବା ଜଣାପଡ଼ିଛି। ମିଳିଥିବା ସୂଚନାନୁଯାୟୀ, ଆହତମାନେ ହେଲେ ଅମନ କୁମୁଆ, ପ୍ରଦୀପ ନାଏକ, ମନୋଜ କୁମାର ରଏ, ପ୍ରେମ କୁମାର ରାଏ, ଲାଦୁରା ହାଇବ୍ରୁ, ମନୋଜ କୁମାର, ରାମଜିତ୍‌ ଯାଦବ, ବସନ୍ତ କୁମାର କୁସଓା, ରାମ କୁମାର ସିଂ, ରୋସନ କୁମାର, ସେକ୍‌ ସକିବୁଲ୍‌, ଜଗନ୍ନାଥ ଚାତାର, କ୍ଷୀରୋଦ ଗୋପ, ମାନସିଂ, ରାଜକୁମାର ଶୁକଦେବ୍‌, ଅମର କୁମାର ସିଂ, ଅଜୟ ସିଂ, ଆଶାନନ୍ଦ ସିଂ, ବଂଶୀଧର ସିଂ , ଭୀମ୍‌ଜିତ୍‌ ଯାଦବ। ତେବେ ଅନ୍ୟ ଆହତଙ୍କ ସମ୍ପର୍କରେ ସୂଚନା ମିଳିନାହିଁ। ଗୁରୁତର ଜଣଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ତେବେ ଆହତମାନଙ୍କଠାରୁ ପ୍ରକାଶ ଯେ, ଟାଟା କମ୍ପାନୀର ଠିକାସଂସ୍ଥା ଟାଟା ପ୍ରୋଜେକ୍ଟ ଲିମିଟେଡ୍‌ର କର୍ମଚାରୀମାନଙ୍କୁ ନେଇ ବସ୍‌ ପ୍ରତିଦିନ ଯୋଡ଼ାଠାରୁ ପ୍ରାୟ ୧୨ କିଲୋମିଟର ଦୂର ଟାଟାର ଖଣି ଖଣ୍ଡବନ୍ଧକୁ ଯାଇଥାଏ। ବସ୍‌ରେ ସିଟ୍‌ ସଂଖ୍ୟାଠାରୁ ଅଧିକ କର୍ମଚାରୀ ଏଥିରେ ଯିବା ପାଇଁ ବାଧ୍ୟ କରାଯାଏ। ଏଥିରେ ପ୍ରତିବାଦ କଲେ ତାଙ୍କର ଗେଟ୍‌ ପାସକୁ ରଦ୍ଦ କରିଦିଆଯିବାର ଧମକ ଦିଆଯାଏ ବୋଲି ଆହତ ମନୋଜ କୁମାର ସୂଚନା ଦେଇଛନ୍ତି। ଗୁରୁବାର ହୋଇଥିବା ଦୁର୍ଘଟଣା ସମ୍ପର୍କରେ ଟିପିଏଲ କମ୍ପାନୀ ସହିତ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରାଯାଇଥିଲେ ହେଁ, ଏନେଇ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। ଘଟଣା ସମ୍ପର୍କରେ ବଡ଼ବିଲ ଏସ୍‌ଡିପିଓ ଦିଲୀପ କୁମାର ବାଗ୍‌ ଘଟଣାସ୍ଥଳ ଓ ଡାକ୍ତରଖାନାକୁ ପୋଲିସ ପଠାଇ ତଦନ୍ତ କରୁଥିବା କହିଛନ୍ତି।