ଗଛରେ ପିଟିହେଲା ସହକାରୀ ଯନ୍ତ୍ରୀଙ୍କ ଗାଡ଼ି

ଝାରସୁଗୁଡ଼ା ଅଫିସ,୨।୩: ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ସୋମବାର ପଞ୍ଚାୟତିରାଜ ବିଭାଗର ଜଣେ ସହକାରୀ ଯନ୍ତ୍ରୀଙ୍କ ଗାଡ଼ି (ଓଡି ୩୩ ଏନ୍‌ ୬୮୩୩)
ଦୁର୍ଘଟଣାଗ୍ରସ୍ତ ହୋଇଛି। ଗାଡ଼ିରେ ଯନ୍ତ୍ରୀ ନ ଥିବା ବେଳେ ଡ୍ରାଇଭର ଜଣକ ମଦ୍ୟପାନ କରି ଗାଡ଼ି ଚଳାଉ ଥିବାରୁ ଏହି ଦୁର୍ଘଟଣା ଘଟିଛି ବୋଲି ଲଖନପୁର ଥାନାଧିକାରୀ ବୈକୁଣ୍ଠ ସେଠ୍‌ କହିଛନ୍ତି। ଡ୍ରାଇଭର ଦେବେନ୍ଦ୍ର କରାଳି ସହକାରୀ ଯନ୍ତ୍ରୀଙ୍କୁ ଆଣିବା ପାଇଁ କାର୍ଯ୍ୟାଳୟକୁ ଯିବା ସମୟରେ ଏହି ଦୁର୍ଘଟଣା ଘଟିଛି। ରାସ୍ତାପାର୍ଶ୍ୱରେ ଥିବା ଏକ ଗଛରେ ଗାଡ଼ି ପିଟି ହୋଇ ଯାଇଥିଲା। ଦୁର୍ଘଟଣାରେ ଡ୍ରାଇଭର ସାମାନ୍ୟ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକଙ୍କଠାରୁ ସୂଚନା ପାଇଁ ଲଖନପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଡ୍ରାଇଭରଙ୍କୁ ନେଇ ଚିକିତ୍ସା କରାଇବା ପରେ ସେ ମଦ୍ୟପାନ କରି ଗାଡ଼ି ଚଳାଉଥିବାରୁ ତାଙ୍କୁ ପୋଲିସ ଗିରଫ କରିଛି।