ଗଛରେ ପିଟି ହେଲା ଟ୍ରାକ୍ଟର: ଜଣେ ମୃତ,୨ ଗୁରୁତର

ବାଙ୍ଗିରିପୋଷି,୧୩ା୧୨(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧୀନ କୁସୁମବନ୍ଧ ପଞ୍ଚାୟତର ତୁଳସୀବଣୀ ଛକ ନିକଟରେ ଗୁରୁବାର ଏକ ଟ୍ରାକ୍ଟର ଗଛରେ ପିଟି ହେବାରୁ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି।
ସୂଚନା ଅନୁଯାୟୀ, ସ୍ଥାନୀୟ ଗୁରୁଗୁଡିଆ ହାଟ ସାରି ଟ୍ରାକ୍ଟର ଡ୍ରାଇଭର ସମେତ ୩ ଜଣ ଶ୍ରମିକ ଫେରୁଥିବା ବେଳେ ତୁଲସୀବଣୀ ଛକ ନିକଟରେ ଭାରସାମ୍ୟ ହରାଇ ଟ୍ରାକ୍ଟରଟି ଏକ ଗଛରେ ପିଟି ହୋଇ ଯାଇଥିଲା। ଫଳରେ ଟ୍ରାକ୍ଟର ଡ୍ରାଇଭରଙ୍କ ନିକଟରେ ବସିଥିବା ନୂଆଡିହି ଗ୍ରାମର ହୁଦୁ ସିଂ (୩୦) ଏବଂ ଦୁଲାଲ ଦେହୁରୀ ଛିଟିକି ପଡ଼ିଥିଲେ। ଟ୍ରାକ୍ଟରଟି ଉଭୟଙ୍କ ଉପରେ ଚଢିଯିବାରୁ ଗୁରୁତର ଆହତ ହୋଇଥିଲେ। ଡାଲାରେ ବସିଥିବା ଲକ୍ଷ୍ମଣ ସିଂ ମଧ୍ୟ ଆହତ ହୋଇଥିଲେ। ଘଟଣାସ୍ଥଳରୁ ଡ୍ରାଇଭର ଟ୍ରାକ୍ଟରଟିକୁ ନେଇ ପଳାଇ ଯାଇଥିବା ବେଳେ ସ୍ଥାନୀୟ ଲୋକେ ଆହତ ୩ ଶ୍ରମିକଙ୍କୁ ଆମ୍ବୁଲାନ୍ସ ଯୋଗେ ବାଙ୍ଗିରିପୋଷି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିସତ୍ା ପାଇଁ ପଠାଇଥିଲେ। ସେଠାରେ ହୁଦୁ ସିଂଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ବାଙ୍ଗିରିପୋଷି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।