ଗଛରେ ଫଳୁଛି ୪୦ ପ୍ରକାର ଫଳ

ନ୍ୟୁୟର୍କ: ଆଜିର ବିଜ୍ଞାନ ଯୁଗରେ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ଦ୍ୱାରା ଅନେକ ଅସମ୍ଭବକୁ ସମ୍ଭବ କରିହେଉଛି। ବୈଜ୍ଞାନିକମାନେ ରିସର୍ଚ୍ଚ କରିବା ସହ ବିଭିନ୍ନ ଟେକ୍‌ନିକ୍‌ ପ୍ରୟୋଗ କରି ବହୁ ଅବିଶ୍ୱସନୀୟ ଜିନିଷ ଖୋଜି ବାହାର କରିଛନ୍ତି। ଏହି କ୍ରମରେ ନ୍ୟୁୟର୍କ ସେରାକୁଜ୍‌ ୟୁନିଭର୍‌ସିଟିର ପ୍ରଫେସର ସାମ୍‌ ଭନ୍‌ ଏକିନ୍‌ ଏଭଳି ଏକ ଗଛର ଅନୁସନ୍ଧାନ କରିଛନ୍ତି, ଯେଉଁଥିରେ ୪୦ ପ୍ରକାର ଫଳ ଫଳୁଛି। କଥାଟି ବିଶ୍ୱାସଯୋଗ୍ୟ ହୋଇ ନ ଥିଲେ ବି ସତ। ଗୋଟିଏ ଗଛରେ କେବଳ ଗୋଟିଏ ପ୍ରକାର ଫଳ ହିଁ ଫଳିବ ବୋଲି ସମସ୍ତେ ଜାଣନ୍ତି। କିନ୍ତୁ ଗ୍ରାଫ୍ଟିଙ୍ଗ୍‌ ପ୍ରଯୁକ୍ତିବିଦ୍ୟା ସାହାଯ୍ୟରେ ଗୋଟିଏ ଗଛରେ ଏକାଧିକ ପ୍ରକାର ଫଳ ଫଳାଇବା ଭଳି ଅଦ୍ଭୁତ ସଫଳତା ହାସଲ କରିଛନ୍ତି ପ୍ରଫେସର୍‌ ସାମ୍‌। ଏହି ଗଛରେ ନାମ ‘ଟ୍ରି ଅଫ୍‌ ୪୦’ ଦିଆଯାଇଛି। ଏଥିରେ ବିଭିନ୍ନ ପ୍ରକାର କୋଳି ସହ ଦେଶୀଆଳୁ, ଆପ୍ରିକଟ୍‌ ଓ ଚେରୀ ଆଦି ୪୦ ପ୍ରକାର ଫଳ ଫଳୁଛି। ପ୍ରଫେସର ସାମ୍‌ ଜଣେ ଚାଷୀ ପରିବାରର ପିଲା ହୋଇଥିବାରୁ ଚାଷ କ୍ଷେତ୍ରରେ କିଛି ନୂଆ କରି ଦେଖାଇବା ପାଇଁ ପିଲାବେଳୁ ତାଙ୍କର ଦୃଢ଼ ଇଚ୍ଛା ଥିଲା। ସେ ଏହି ‘ଟ୍ରି ଅଫ୍‌ ୪୦’ ଗଛ ଉପରେ ୨୦୦୮ରୁ କାମ କରୁଛନ୍ତି। ଏ ସମ୍ପର୍କରେ ପ୍ରଫେସର ସାମ୍‌ କୁହନ୍ତି, ନ୍ୟୁୟର୍କର ଷ୍ଟେଟ୍‌ ଏଗ୍ରିକଲ୍‌ଚରାଲ୍‌ ଏକ୍‌ପେରିମେଣ୍ଟ କରୁଥିବା ସମୟରେ ପାଖରେ ଥିବା ଏକ ବଗିଚା ଉପରେ ତାଙ୍କ ନଜର ପଡ଼ିଥିଲା। ସେହି ବଗିଚାରେ ବିଭିନ୍ନ ପ୍ରକାର ଫଳ ଗଛ ଲାଗିଥିଲା। ଫଣ୍ଡିଂ ଅଭାବରୁ ବଗିଚାଟି ଧ୍ୱଂସ ପ୍ରାୟ ହୋଇପଡ଼ିଥିବା ବେଳେ ସେଠାରେ କାମ କରୁଥିବା ମାଳୀ ମଧ୍ୟ କାମ ଛାଡ଼ି ଚାଲିଯାଇଥିଲେ। ତେବେ ପ୍ରଫେସର୍‌ ସାମ୍‌ ବଗିଚାଟିକୁ ଲିଜ୍‌ ସୂତ୍ରରେ ନେଇ ଗ୍ରାଫ୍ଟିଙ୍ଗ୍‌ ଟେକ୍‌ନିକ୍‌ ସାହାଯ୍ୟରେ ଗବେଷଣା ଆରମ୍ଭ କରିଥିଲେ।

Share