Categories: ଫୁରସତ

ଗଛ କ’ଣ ଭାବୁଛି ତାହା ଜାଣିହେବ

ଅସମ୍ଭବକୁ ସମ୍ଭବ କରିଛି ମୁଲ୍ଲେରଙ୍କ ସ୍ମାର୍ଟକୁଣ୍ଡ । ଗଛର ମନକଥା ଜଣାଉଥିବା ଏହି କୁଣ୍ଡ ବର୍ଷର ଶେଷ ଆଡକୁ ବଜାରକୁ ଆସିବ।
ଗଛ ଭାବନା ବ୍ୟକ୍ତ କରିବ! ଏହା ଜାଣି ଯେ କେହି ଆଶ୍ଚର୍ଯ୍ୟ ହୋଇଯିବେ, ହେଲେ ଏହାକୁ ସମ୍ଭବ କରିଛନ୍ତି ବେଲ୍‌ଜିୟମର ଡିଜାଇନର୍‌ ବିବିୟନ ମୁଲ୍ଲେର। ପଦ୍ଧତିଟି ପୂରା ବିଜ୍ଞାନଭିତ୍ତିକ । ମୁଲ୍ଲେର ଏକ ସ୍ମାର୍ଟ କୁଣ୍ଡ ନିର୍ମାଣ କରିଛନ୍ତି, ଯାହା ଜଣାଇଦେବ ଗଛ କ’ଣ ଅନୁଭବ କରୁଛି। ଗଛ ତା’ ଭାବନାକୁ ଏହି କୁଣ୍ଡ ମାଧ୍ୟମରେ ପ୍ରକାଶ କରି ତା’ର କ’ଣ ଦରକାର ତାହା ବି ଜଣାଇଦେବ।

ମୁଲ୍ଲେର ଏହି କୁଣ୍ଡରେ ଏକ ସେନ୍‌ସର ଲଗାଇଛନ୍ତି। ଏହାର ନାମ ରଖିଛନ୍ତି ଲୁଆ। ଏହି ସେନ୍‌ସର ଗଛମୂଳ ମାଟିର ଆର୍ଦ୍ରତା, ତାପମାତ୍ରା ଓ କେତେ ଆଲୋକ ଗଛ ପାଉଛି ତାହା ମାପକରିବ। କୁଣ୍ଡରେ ୨.୪ ଇଞ୍ଚର ଏକ ଏଲ୍‌ଇଡ଼ିି ସ୍କ୍ରିନ୍‌ ବି ଲଗାଯାଇଛି। ସେନ୍‌ସର ମାଧ୍ୟମରେ ଗଛର ୧୫ ପ୍ରକାର ଭାବନାକୁ ଏହି ସ୍କ୍ରିନରେ ଦେଖିହେବ, ଯେମିତି ଗଛକୁ ପାଣି ଦରକାର ହେଉଥିଲେ ତାହା ଶୋଷର ସଂକେତ ଦେବ। ଯଦି ଅତ୍ୟଧିକ ଗରମ ହେଉଥିତ୍ବ ସେହି ଅବସ୍ଥାରେ ଡିସ୍‌ପ୍ଲେରେ ଝାଳ ବହୁଥିବା ଦେଖାଯିବ ଓ ଗଛ ପର୍ଯ୍ୟାପ୍ତ ପାଣି ପାଉଥିଲେ ହସିବାର ସଂକେତ ପ୍ରକାଶ ପାଇବ। ଗଛକୁ ପାଣି ଦରକାର, ସେଥିପାଇଁ ସ୍କ୍ରିନ୍‌ରେ ଜିଭ ବାହାରିବା ଓ ଅତ୍ୟଧିକ ଥଣ୍ଡା ହେଉଥିଲେ ଦାନ୍ତ କଡ଼ମଡ଼ କରିବା ଛବି ପ୍ରକାଶ ପାଇବ। ଅନ୍ଧାର ହୋଇଥିଲେ ମୁହଁ ଲଟିକି ରହିବା ଦେଖାଯିବ ଓ ଆଲୋକ ପାଇଲେ ଖୁସିର ସଂକେତ ଦେବ। କେହି ଯଦି ଗଛ ସାମ୍‌ନାରେ ଯିବ ତେବେ ସ୍କ୍ରିନ୍‌ରେ ଆଖି ମିଟିମିଟି କରିବା ଦେଖାଯିବ। ପ୍ୟାରେଣ୍ଟ କମ୍ପାନୀ ‘ମୁ ଡିଜାଇନ’ ଏହା ଲାଗି ଫଣ୍ଡିିଂ ଜୁଟାଇବା ପରେ ଏହି ବର୍ଷ ଶେଷ ଆଡକୁ ସ୍ମାର୍ଟକୁଣ୍ଡକୁ ବଜାରକୁ ଛାଡ଼ିିବ ।

Share