ଗଛ ବଞ୍ଚାଇଦେଲା ଜୀବନ:ନାଳରେ ଭାସି ଯାଇଥିବା ବୃଦ୍ଧା ଉଦ୍ଧାର

ରାସୋଳ, ୨୯ା୧୦(ଡି.ଏନ.ଏ)

ଗଛ ବଞ୍ଚାଇଦେଲା ବୃଦ୍ଧାଙ୍କ ଜୀବନ। ଘଟଣା ଘଟିଛି ଢେଙ୍କାନାଳ ଜିଲା ହିନ୍ଦୋଳ ଥାନା ବାହାଲୁଣ୍ଡା ଗ୍ରାମ ନିକଟରେ। ରବିବାର ରାତିରେ ସ୍ଥାନୀୟ ବଡଯୋରା ନାଳରେ ବୃଦ୍ଧା ଜଣକ ଭାସିଯାଇଥିବା ବେଳେ ସୋମବାର ସକାଳେ ତାଙ୍କୁ ଉଦ୍ଧାର କରାଯାଇଛି। ରାତି ତମାମ ବୃଦ୍ଧା ଜଣକ ନାଳ ଭିତରେ ଏକ ଗଛ ଡାଳକୁ ଜାବୁଡ଼ି ଧରି ରହିବା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।
ଘଟଣାରୁ ଜଣାପଡିଛି, ବାଲିମୀ ଥାନା ରଞ୍ଜାଗୋଳ ଗ୍ରାମର ଶଙ୍କର ମହାପାତ୍ର ଜଣେ ପୂଜକ। ରବିବାର ଶଙ୍କର ବଡଯୋରା ନାଳ ପାରି ହୋଇ ପୂଜା କରିବାକୁ ଯାଇଥିଲେ। ରାତି ହୋଇଯାଇଥିଲେ ହେଁ ଶଙ୍କର ଘରକୁ ଫେରି ନ ଥିଲେ। ଫଳରେ ସ୍ତ୍ରୀ ପାକେଲି ତାଙ୍କୁ ଖୋଜିବାକୁ ବାହାରିଥିଲେ। ତେବେ ନାଳରେ ଅଧିକ ପାଣି ଥିବାରୁ ସେ ଭାସି ଯାଇଥିଲେ। କିଛି ବାଟ ଭାସିଯିବା ପରେ ଏକ ଗଛଡାଳ ଦେଖି ତାହାକୁ ପାକେଲି ଜାବୁଡ଼ି ଧରିବାରୁ ସେଠାରେ ଅଟକି ଯାଇଥିଲେ। ରାତିତମାମ ସେଠାରେ ସେ ସେମିତି ରହିଥିଲେ। ସକାଳେ ବାହାଲୁଣ୍ଡା ଗ୍ରାମର ସୁଶାନ୍ତ ପଟ୍ଟନାୟକ ଓ ଅନ୍ୟମାନେ ଶୌଚ ପାଇଁ ଯାଇଥିବା ବେଳେ ବୃଦ୍ଧାଙ୍କ ପାଟିଶୁଣି ତାଙ୍କୁ ନାଳରୁ ଉଦ୍ଧାର କରିଥିଲେ। ପରେ ଗ୍ରାମବାସୀ ତାଙ୍କୁ ଡାକ୍ତରଖାନା ନେବା ସହ ପରିବାରକୁ ହସ୍ତାନ୍ତର କରିଥିଲେ।

Share