ଗଛ ମରିଗଲେ ଯିବାକୁ ପଡିବ ଜେଲ

ମୁରୈନା,୨୮।୧: ମଧ୍ୟପ୍ରଦେଶର ମୁରୈନା ଜିଲାରେ ଥିବା ଏକ ଜଙ୍ଗଲର ଗଛ ଗୁଡିକୁ ଦେଖାରଖା କରିବାକୁ ପୋଲିସ ଆସିଥାଆନ୍ତି। କଥାଟା ଟିକେ ଅଡୁଆ ଲାଗୁଥିଲେ ବି ସତ୍ୟ। ପୋଲିସ ଏଠାକୁ ପରିବେଶ ସଂରକ୍ଷଣ କରିବାକୁ ନୁହେଁ ବରଂ ଡ୍ୟୁଟି କରିବାକୁ ଆସୁଥିବା କୁହାଯାଏ। ତେବେ ଏହି ଜଙ୍ଗଲ ହେଉଛି ଆପରାଧିକ ମାମଲାରେ ସମ୍ପୃକ୍ତ ଥିବା ଦୋଷୀଙ୍କ ଦ୍ୱାରା ସୃଷ୍ଟି କରାଯାଇଥିବା ଜଙ୍ଗଲ। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ବିଭିନ୍ନ ମାମଲାରେ ସମ୍ପୃକ୍ତ ଥିବା ବ୍ୟକ୍ତିମାନେ ଜାମିନ ପାଇବା ପାଇଁ ସେଠି ଗଛ ଲଗାଇଛନ୍ତି। ଯଦି ଏହି ଗଛ ମରିଯାଏ ତେବେ ଅପରାଧିମାନଙ୍କ ଜାମିନ ଖାରଜ ହେବା ସହ ସେମାନେ ପୁଣିଥରେ ଜେଲ ଯିବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତେଣୁ ଅପରାଧିମାନେ ଲଗାଇଥିବା ଗଛ ଗୁଡିକର ଯତ୍ନ ସେମାନେ ନିଜେ ନେଇଥାଆନ୍ତି। ଏହି ଗଛ ଗୁଡିକ ପାଇଁ ଅପରାଧିମାନେ ଟଙ୍କା ଖର୍ଚ୍ଚ କରିବା ସହ ମଝିରେ ମଝିରେ ଏମାନେ ଏହି ଗଛକୁ ପାଣି ଓ ଖାଦ୍ୟ ଦେବାକୁ ମଧ୍ୟ ଯାଇଥାଆନ୍ତି। ମୁରୈନାର ଦେବରି ପଞ୍ଚାୟତ ଅନ୍ତର୍ଗତ ପିତୃବନରେ ଅପରାଧିଙ୍କ ଦ୍ୱାରା ଏମିତି ପ୍ରାୟ ୨ଶହ ଗଛ ଲଗାଯାଇଥିବା କୁହାଯାଏ। ଏହା ମୁରୈନାଠାରୁ ଏହା ପ୍ରାୟ ୫ କିଲୋମିଟର ଦୂର ଏକ ନଦୀ କୂଳରେ ଅବସ୍ଥିତ। ପ୍ରଥମେ ଏହି ଜଙ୍ଗଲ ପ୍ରାୟ ୪ ବର୍ଷ ତଳେ ସ୍ଥାନୀୟ ପ୍ରଶାସନ ଓ ସମାଜସେବୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିଲା। ଏଠାରେ ଲୋକେ ସେମାନଙ୍କ ପୂର୍ବ ପୁରୁଷଙ୍କ ସ୍ମୃତିରେ ଗଛ ଲଗାଉଥିଲେ। କଳ୍ପବୃକ୍ଷ ସେବା ସମିତି ଦ୍ୱାରା ଏହାର ଦେଖାରଖା କରାଯାଉଥିଲା। ତେଣୁ ଏହାର ନାମ ପିତୃବନ ରଖାଯାଇଥିଲା। ଏବେ ଏହି ସଂରକ୍ଷିତ ଜଙ୍ଗଲରେ ପ୍ରାୟ ୨ ହଜାର ଗଛ ଥିବା ବେଳେ ସେଥିମଧ୍ୟରୁ ୨ଶହ ଗଛ ଅପରାଧିଙ୍କ ଦ୍ୱାରା ଲଗାଯାଇଛି। ଏହି ଅପରାଧିମାନେ ନିଜ ନିଜର ଗଛକୁ ଚିହ୍ନିବା ପାଇଁ ଗଛ ଚାରିପଟେ ତାରବାଡ ଲଗାଇବା ସହ ଏଥିରେ ନିଜ ନିଜ ନାଁ ଲେଖି ଦେଇଛନ୍ତି। ସବୁଠାରୁ ରୋଚକ କଥା ହେଲା ସ୍ଥାନୀୟ ପୋଲିସ ମଝିରେ ମଝିରେ ପିତୃବନ ଯାଇ ଗଛ ଗୁଡିକ ଠିକ୍‌ ଅଛି କି ନା ଦେଖିବା ପରେ ଏନେଇ କୋର୍ଟଙ୍କୁ ରିପୋର୍ଟ ପ୍ରଦାନ କରିଥାଆନ୍ତି। ସେହିପରି କଳ୍ପବୃକ୍ଷ ସେବା ସମିତି ଦ୍ୱାରା ମଧ୍ୟ ଏଠାରେ ଗଛ ଲଗାଇଥିବା ଅପରାଧିଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥାଏ, ଯାହାକୁ ନେଇ ସେମାନେ କୋର୍ଟରେ ପ୍ରଦାନ କରିଥାଆନ୍ତି।

Share