ଗଛ ମୂଳେ ଚାଲିଛି ଅଙ୍ଗନୱାଡି କେନ୍ଦ୍ର

ପଦ୍ମପୁର, ୧୨।୫ (ଡି.ଏନ.ଏ.) – ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବିଦେଇପୁର ପଞ୍ଚାୟତର ଠାକୁରାଣୀସାହି ଅଙ୍ଗନୱାଡି କେନ୍ଦ୍ର ଦୀର୍ଘ ୯ ବର୍ଷ ଧରି ଗଛ ମୂଳେ ଚାଲିଛି। ପିଲାଙ୍କ ପାଇଁ ନା ଅଛି ରୋଷେଇଘର ନା ଶୌଚାଳୟ। କୋମଳମତି ଛାତ୍ରୀଛାତ୍ର ପ୍ରବଳ ଖରାରେ ମଧ୍ୟ ବାହାରେ ବସି ପାଠ ପଢୁଛନ୍ତି। ବର୍ଷାଦିନେ ଅବସ୍ଥା ଆହୁରି ଶୋଚନୀୟ ହୋଇପଡୁଛି। ପାଗ ଭଲ ହେଲେ ବାହାରେ ଯେନତେନ ପ୍ରକାର ଦୁଇଘଣ୍ଟା  ଛାତ୍ରୀଛାତ୍ରଙ୍କୁ ବସାଇ ପାଠ ପଢାଉଛନ୍ତି ଅଙ୍ଗନୱାଡି କର୍ମୀ। ନ ହେଲେ ଏହି କେନ୍ଦ୍ରରେ ପାଠପଢା ବନ୍ଦ ରହୁଛି।

ଚଳିତବର୍ଷ ଏହି କେନ୍ଦ୍ରରେ ଛାତ୍ରୀସଂଖ୍ୟା ୭ ଥିବାବେଳେ ୮ଜଣ ଛାତ୍ର ନାମ ଲେଖାଇଥିବା ଜଣାପଡ଼ିଛି। ଅସହ୍ୟ ଖରାରେ ପିଲାମାନଙ୍କୁ ବାହାରେ ବସାଇ ପାଠ ପଢ଼ାଉଥିବା ସମ୍ପର୍କରେ କର୍ମୀ ସୁପ୍ରଭା ମହାନ୍ତିଙ୍କୁ ପଚାରିବାରୁ ଘର ତିଆରି ହେଉ ନ ଥିବାରୁ ସେ ବାଧ୍ୟ ହୋଇ ପିଲାଙ୍କୁ ଗଛ ମୂଳେ ବସାଉଥିବାର କହିଛନ୍ତି। ସେିହପରି ରୋଷେଇ ଘର ନ ଥିବାରୁ ରୋଷେଇ ମଧ୍ୟ ଠିକ୍‌ ଭାବେ  ହୋଇପାରୁ ନାହିଁ। ଏ ବାବଦରେ ବାସୁଦେବପୁର ସମନ୍ବିତ ଶିଶୁ ବିକାଶ ଅଧିକାରୀ ଜାନକୀ ଦାସଙ୍କୁ ପଚାରିବାରୁ ଜାଗା ବିବାଦରୁ ଘର ତିଆରି ହୋଇପାରୁ ନ ଥିବା କହିଛନ୍ତି। ପ୍ରକାଶ ଯେ, ବ୍ଲକରେ ମୋଟ ୪୨୨ କେନ୍ଦ୍ର ଥିବାବେଳେ ୩୧୩ ଘର ତିଆରି ପାଇଁ କାର୍ଯ୍ୟାଦେଶ ଦିଆଯାଇଛି। ସେଥିମଧ୍ୟରୁ ୧୬୭ ଘର ସମ୍ପୂର୍ଣ୍ଣ ହୋଇଥିବା ବେଳେ ୧୪୬ ଘର ନିର୍ମାଣ ଶେଷ ହୋଇପାରି ନାହିଁ। ୧୧୦ କେନ୍ଦ୍ରର ନିଜସ୍ବ ଗୃହ ନ ଥିବାରୁ ପିଲାମାନେ ଖୋଲା ଆକାଶ ତଳେ ବିପଦପୂର୍ଣ୍ଣ ଅବସ୍ଥାରେ ପାଠ ପଢୁଛନ୍ତି। କର୍ମୀ ଓ ସହାୟକମାନେ ନାମକୁ ମାତ୍ର ଚାକିରି ବଞ୍ଚାଇବା ପାଇଁ ଛାତ୍ରୀଛାତ୍ରଙ୍କ ଉପସ୍ଥାପନ ପକାଇ କର୍ତ୍ତବ୍ୟ ସମ୍ପାଦନ କରୁଛନ୍ତି। ଅନ୍ୟପକ୍ଷେ ବିଭାଗୀୟ ଅଧିକାରୀ କାଗଜକଲମରେ ଦାୟିତ୍ୱ ନିର୍ବାହ କରି ନିଜ ମୁଣ୍ଡରୁ ଦୋଷ ଖସାଇ ବୁଲୁଛନ୍ତି ବୋଲି ଅଭିଯୋଗ ହେଉଛି। ଏଭଳି ଅବସ୍ଥାରେ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ସହ ନ ଖେଳି ପ୍ରଶାସନ ତୁରନ୍ତ ଅଙ୍ଗନଓ୍ବାଡ଼ି ଗୃହ ନିର୍ମାଣ ଶେଷ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।