‘ଗଛ ମୋ ଜୀବନ, ସ୍ବପ୍ନ, ସାହାରା’

ସିମୁଳିଆ, (ସନ୍ତୋଷ କୁମାର ନାୟକ)-
ପରିବେଶର ସୁରକ୍ଷା ବିନା ଜୀବଜଗତ ତିଷ୍ଠିବା ସମ୍ଭବ ନୁହେଁ। ଗଛ ଲଗାଇ ପରିବେଶକୁ ସୁରକ୍ଷା ଦେବା ବାର୍ତ୍ତା ପ୍ରଚାର ଲାଗି ୫୯ବର୍ଷୀୟ ଗୋଲକବିହାରୀ ରାଉତ ଏବେ ଗାଁକୁ ଗାଁ ଘୂରି ବୁଲୁଛନ୍ତି । କାନ୍ଧରେ ଏକ ଭାର ଯେଉର୍ଁଥିରେ ଦୁଇଟି ଝୁଡିରେ ବିଭିନ୍ନ କିସମର ଚାରା। କେବଳ ନିଜ ଅଞ୍ଚଳ ନୁହେଁ ବାଲେଶ୍ୱର, ଭଦ୍ରକ, ଯାଜପୁର ଜିଲାର ବିଭିନ୍ନ ସ୍ଥାନ ବୁଲି ସ୍ବଳ୍ପ ମୂଲ୍ୟରେ ଫୁଲ, ଫଳ ଓ ଔଷଧୀୟ ଚାରାଗଛକୁ ୧୦ରୁ ୧୫ଟଙ୍କାରେ ବିକିବା ସହ ସଚେତନତାର ବାର୍ତ୍ତା ପ୍ରଚାର କରୁଛନ୍ତି। ସେ ୧୦ବର୍ଷରୁ ଊର୍ଦ୍ଧ୍ୱ ଦିନ ଶିକ୍ଷକତା କାର୍ଯ୍ୟ କରିଥିବାରୁ ଗଛ ଲଗାଇ ପରିବେଶ ସୁରକ୍ଷା କରିବା ଲାଗି ଛାତ୍ରୀଛାତ୍ରଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ବିଭିନ୍ନ ସ୍କୁଲ, କଲେଜ ବୁଲି ଚାରା ବାଣ୍ଟୁଛନ୍ତି। ଜୀବନରେ ଅନେକ ଉତ୍‌ଥାନ ପତନ ପରିସ୍ଥିତିକୁ ସାମ୍ନା କରିଥିବା ଗୋଲକବିହାରୀ ଏବେ ସମାଜସେବା କାର୍ଯ୍ୟକୁ ଆଦରି ନିଜେ ଚାରା ଉତ୍ପାଦନ କରି ଏହାକୁ ବୁଲି ବୁଲି ବିକ୍ରି କରୁଛନ୍ତି। ସେ କହନ୍ତି, ‘ପିଲାଦିନୁ ମୁଁ ଗଛକୁ ଭଲ ପାଇ ଆସିଛି। ଗଛ ମୋ ଜୀବନ, ସ୍ବପ୍ନ ଓ ସାହାରା ସବୁକିଛି।’
ଗୋଲକବିହାରୀଙ୍କ ଘର ଭଣ୍ଡାରିପୋଖରୀ ବ୍ଲକ ଅଧୀନ ପାଟୁଳି ଅଞ୍ଚଳରେ।
ତାଙ୍କ ମାତାପିତା ହେଲେ ଅନ୍ନପୂର୍ଣ୍ଣା ଓ ଗୌରହରି ରାଉତ। ତାଙ୍କର ଦୁଇଝିଅ ଓ ଜଣେ ପୁଅଙ୍କ ମଧ୍ୟରେ ଗୋଲକ ସାନ। ସେ କେନ୍ଦୁଝର ଜିଲା ଆନନ୍ଦପୁର କଲେଜରୁ ବିଏ ପାସ୍‌ କଲା ପରେ ତାଳଚେର କୋଇଲା ଖଣିରେ ଜଣେ ଠିକାଦାରଙ୍କ ଅଧୀନରେ ସୁପରଭାଇଜର କାମ କରିଥିଲେ। ପରେ ନିଜ ଅଞ୍ଚଳରେ ବିମଳବର ହାଇସ୍କୁଲ ନାମରେ ଏକ ବେସରକାରୀ ଶିକ୍ଷାନୁଷ୍ଠାନ ଖୋଲିବାରୁ ସେ ସୁପରଭାଇଜର ଚାକିରି ଛାଡ଼ି ଶିକ୍ଷକ ରୂପେ ବିଦ୍ୟାଳୟରେ ଯୋଗ ଦେଇଥିଲେ। ଗୋଲକଙ୍କ ବାପା ଅନ୍ୟ ଏକ ବିଦ୍ୟାଳୟରେ ଶିକ୍ଷକତା କରୁଥିବାରୁ ସେ ପୁଅକୁ ନିଜ ଅଞ୍ଚଳରେ ଶିକ୍ଷକତା କରି ପାଖରେ ରହି ଘର ଦେଖାଶୁଣା କରିବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ଗୋଲକ ଶିକ୍ଷକତା କରୁଥିବା ବିଦ୍ୟାଳୟରେ ପରେ ଅଚଳାବସ୍ଥା ସୃଷ୍ଟି ହୋଇ ବନ୍ଦ ହୋଇଯାଇଥିଲା। ଅପରପକ୍ଷେ ସେ ବିବାହ କରିବାର ୪ମାସ ପରେ ତାଙ୍କ ପନତ୍ୀ କ୍ୟାନ୍ସରରେ ଆକ୍ରାନ୍ତ ହୋଇ ଆରପାରିକୁ ଚାଲିଗଲେ। ପରିବାର ଚାପରେ ସେ ଦ୍ୱିତୀୟ ବିବାହ କରିଥିଲେ ମଧ୍ୟ ପତ୍ନୀ ତାଙ୍କୁ ଛାଡି ଚାଲିଗଲେ। ସେବେଠାରୁ ସମାଜସେବା କାର୍ଯ୍ୟକୁ ଆଦରି ଗତ କିଛିବର୍ଷ ଧରି ନିଜେ ଚାରା ଉତ୍ପାଦନ କରି ସମସ୍ତଙ୍କୁ ଗଛ ଲଗାଇବା ଲାଗି ପ୍ରବର୍ତ୍ତାଇ ସେ ଚର୍ଚ୍ଚାକୁ ଆସିଛନ୍ତି। ବର୍ତ୍ତମାନ ଭଉଣୀ ଭିଣୋଇ ଓ ଭଣଜା ତାଙ୍କ ପାଖରେ ରହି ଯତ୍ନ ନେଉଥିବା ସେ କହିଛନ୍ତି।

Share