ଗଛ ଲଗାଇଥିଲେ ଏବେ କାଟିଦେଲେ: ୫୭ ନଂ. ଜାତୀୟ ରାଜପଥ କଡ଼ ବୃକ୍ଷଶୂନ୍ୟ

ଖୋର୍ଦ୍ଧା ଅଫିସ/ବୋଲଗଡ, ୨୧ା୧୨ (ଡି.ଏନ.ଏ.): ରାସ୍ତା ପ୍ରଶସ୍ତୀକରଣର ଆଳ ଦେଖାଇ ବଲାଙ୍ଗୀର-ଖୋର୍ଦ୍ଧା ୫୭ ନଂ. ଜାତୀୟ ରାଜପଥ(ଏନଏଚ୍‌) କଡରୁ କଟା ଚାଲିଛି ଗଛ। ତେବେ ରାସ୍ତା ପ୍ରଶସ୍ତୀକରଣକୁ ପରିବେଶବିତ ବିରୋଧ କରୁନାହାନ୍ତି। ବିରୋଧ କରୁଛନ୍ତି ବୃକ୍ଷରୋପଣ କରାଯାଉଥିଲା କାହିଁକି। ପୁଣି ମାତ୍ର ୫ରୁ ୭ ବର୍ଷର ବ୍ୟବଧାନ ପରେ ଗଛ କଟା ଯାଉଛି କ’ଣ ପାଇଁ। ବୃକ୍ଷରୋପଣ ଓ ଗଛ କଟା ପାଇଁ ଯେଉଁ ସରକାରୀ ଅର୍ଥ ଅପବ୍ୟୟ ହେଲା, ସେହି ଅର୍ଥ ଭରଣା ହେବ କେମିତି। ରାସ୍ତାକଡରେ ଛାଇ ମିଳିବ କିପରି। ପ୍ରଶାସନର ଗଛ ଲଗା ଓ କଟା ଅଭିଯାନର ରହସ୍ୟର ଗୁମର ଖୋଲିବା ଉଚିତ୍‌। ଏହାକୁ ଦୂରଦୃଷ୍ଟିର ଅଭାବ କହି ଖସାଇ ଦେବା ଠିକ୍‌ ନୁହେଁ। ପୂର୍ବରୁ କିଛି ରାସ୍ତାରେ ଗଛ ଲଗାଯାଇ କଟା ହୋଇଯାଇଛି। କିଛି କର୍ମଚାରୀ, ଅଧିକାରୀଙ୍କର ଲୋଭ ଯୋଗୁ ସରକାରୀ ଅର୍ଥ ଅପବ୍ୟୟ ହେବାରେ ଲାଗିଛି। ଅନ୍ୟପକ୍ଷେ ରାଜପଥ କଡରୁ ରାତିରେ ଗଛ କଟା ଚାଲୁ ରହିଛି। ସନ୍ଧ୍ୟା ହେଲେ ଲୋକେ ଗଛ କଟାରେ ସାମିଲ ହେଉଛନ୍ତି। ସାଧାରଣତଃ ଜଣେ ପଥିକ ଜାଣି ପାରିବନି ରାସ୍ତାକଡରେ ଗଛ ଥିଲା କି ନାହିଁ। କାରଣ ଦିନବେଳା ଗଛକଟା ଅଭିଯାନ ବନ୍ଦ ରହୁଛି। ଏବେ କପାସିଆରୁ ଚୁଡା ରାସ୍ତା କାର୍ଯ୍ୟ ଚାଲୁ ରହିଛି। ରାସ୍ତା ପ୍ରଶସ୍ତୀକରଣ ସହ ଗଛ କଟା ବି ଚାଲିଛି। ସମ୍ପୃକ୍ତ ରାସ୍ତାରେ ୫ରୁ ୭ବର୍ଷ ତଳେ ଗଛ ଲଗାଯାଇଥିଲା। ଉକ୍ତ ଗଛଗୁଡିକ ନ କାଟି ଅନ୍ୟତ୍ର ସ୍ଥାନାନ୍ତର ବି କରାଯାଉନି, ଯଦ୍ଦ୍ବାରା ରାସ୍ତାକଡରୁ ଗଛ ବଳି ପଡୁଛି। ପରିବେଶ୍‌ବିତ୍‌ ବିଭୂତି ଭୂଷଣ ଦାଶ କୁହନ୍ତି, ସରକାରୀ ଟଙ୍କା କିଏ କେତେ ଅଧିକ ଖର୍ଚ୍ଚ କରି ପାରୁଛି ସେଥିପାଇଁ ଚାଲିଛି ପ୍ରତିଯୋଗିତା। ପ୍ରତିଯୋଗିତା ଦୁନିଆରେ ସରକାରୀ ଅର୍ଥ ଅପବ୍ୟୟକୁ କାହାରି ଧ୍ୟାନ ନାହିଁ। ଗଛ ଲଗାଇବା ଓ କାଟିବାର ପ୍ରସ୍ତାବକୁ ସରକାର ମନା କିପରି କରୁଛନ୍ତି ତାହା ୫୭ ରାସ୍ତାପାଶର୍‌ବ ଗଛ କଟା ଓ ରୋପଣ ଅଭିଯାନରୁ ସ୍ପଷ୍ଟ ବାରି ହୋଇପଡୁଛି। ସରକାର ଓ ପ୍ରଶାସନ ଏହାକୁ ଗୁରୁତର ସହ ନେଇ ଆଗକୁ ଯେପରି ସରକାରୀ ଅର୍ଥ ଅପବ୍ୟୟ ହେବନି ସେଥିପ୍ରତି ଦୃଷ୍ଟି ଦିଅନ୍ତୁ। କେଉଁ ରାସ୍ତାରେ ନୂଆ ଚାରାରୋପଣ ହେବ, ପ୍ରଶସ୍ତୀକରଣକୁ ଦୃଷ୍ଟି ଦେଇ ଗଛ ଲଗାନ୍ତୁ। ନଚେତ ଗଛ ଲଗା ଓ କଟାରେ ଅର୍ଥ ଅପବ୍ୟୟକୁ ରୋକି ହେବନାହିଁ।

Share