ଗଛ ଲଗାଇ ପାଳିଲେ ବିଶ୍ୱ ପରିବେଶ ଦିବସ

ବାଲେଶ୍ୱର ଅଫିସ, ୫।୬: ବାଲେଶ୍ୱର ଜିଲାରେ ବିଭିନ୍ନ ବ୍ଲକରେ ସ୍ବେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ଯୁବଗୋଷ୍ଠୀମାନେ ଗଛ ଲଗାଇ ବିଶ୍ୱ ପରିବେଶ ଦିବସ ପାଳିଛନ୍ତି। ଅନ୍ୟପକ୍ଷରେ ଅନ୍ୟ ଯୁବଗୋଷ୍ଠୀଙ୍କୁ ପରିବେଶ ସୁରକ୍ଷା ଦାୟିତ୍ୱ ଗ୍ରହଣ କରିବା ପାଇଁ ନିବେଦନ କରିବା ପରମ୍ପରା ସୃଷ୍ଟି କରିଛନ୍ତି। ‘ଆଚ୍ଛା’ ସଙ୍ଗଠନ ଶୁକ୍ରବାର ବିଭିନ୍ନ ଅଞ୍ଚଳରେ ଚାରାରୋପଣ କରିବା ସହ ଚାରାର ରକ୍ଷଣାବେକ୍ଷଣ ଦାୟିତ୍ୱ ନିଜେ ସ୍ବେଚ୍ଛାସେବୀମାନେ ଗ୍ରହଣ କରିଛନ୍ତି। ସଙ୍ଗଠନ ସଭାପତି ବିସ୍ମିତ ରଞ୍ଜନ ଦାସ ସୂଚନା ଅନୁସାରେ ସଦର, ରେମୁଣା, ବାହାନଗା, ସିମୁଳିଆ ଓ ଜଳେଶ୍ୱର ବ୍ଲକରେ ସଙ୍ଗଠନ ପକ୍ଷରୁ ୨ଶହରୁ ଊର୍ଦ୍ଧ୍ୱ ଫଳ ଓ ଔଷଧୀୟ ଗଛ ବିଭିନ୍ନ ଲୋକଙ୍କ ବାଡ଼ି ବଗିଚାରେ ଲଗାଯାଇଛି। ସେଗୁଡ଼ିକର ରକ୍ଷଣାବେକ୍ଷଣ ବାଡ଼ି ମାଲିକଙ୍କୁ ହସ୍ତାନ୍ତର କରିଥିବା ଜଣାଇଛନ୍ତି। ସଂଯୋଜକ ରାକେଶ କୁମାର ଶିଅଳ ଓ ରାକେଶ କୁମାର ବେହେରା, ଉପସ୍ବାସ୍ଥ୍ୟ ସଂଯୋଜକ ଅନ୍ତର୍ଯ୍ୟାମୀ ବେହେରା, ସମ୍ପାଦକ ରଣଜିତ କୁମାର ପୃଷ୍ଟି ପ୍ରମୁଖ ଉକ୍ତ କାର୍ଯକ୍ରମରେ ଦାୟିତ୍ୱ ଗ୍ରହଣ କରିଥିଲେ।