Categories: ଗଞ୍ଜାମ

ଗଛ ସ୍ଥାନାନ୍ତର କାର୍ଯ୍ୟ ବିଳମ୍ବ,: ସାଧାରଣରେ ଅସନ୍ତୋଷ

ଦାରିଙ୍ଗବାଡ଼ି,୧୫ା୫(ଡି.ଏନ୍‌.ଏ.) : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଗୋପାଳପୁରଠାରୁ ରାଇପୁରକୁ ଜାତୀୟ ରାଜପଥ ସଂଯୋଗ ହୋଇଛି। ଏହାର ସଂପ୍ରସାରଣ କାର୍ଯ୍ୟ ଏବେ ବାଲିଗୁଡ଼ାଠାରୁ ଦାରିଙ୍ଗବାଡ଼ି ପର୍ଯ୍ୟନ୍ତ ଚାଲିଛି।  ତେବେ ରାସ୍ତାକଡ଼ର ବଡ଼ବଡ଼ ଗଛ ପୂବର୍ର୍ଭଳି କଟା ନ ଯାଇ ଗଛର ଚାରିପାଖ ଖୋଳାଯାଇ ପୁନର୍ବାର ନୂତନ ଚାରା ଲଗାଯାଉଛି। ତେବେ ଏହି କାର୍ଯ୍ୟରେ ବିଳମ୍ବ କରାଯିବା ସହ ବହୁ ଗଛ ଚାରିପାଖରୁ ମାଟି ବାହାର କରି ଦିଆଯାଇଥିଲେ ମଧ୍ୟ ସ୍ଥାନାନ୍ତରିତ କରାଯାଇନାହିଁ। ଫଳରେ ଏବେ କିଛିଦିନ ହେଲା ଉକ୍ତ ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବର୍ଷା ସହ ପବନ ବହୁଥିବାରୁ ଗଛଗୁଡ଼ିକ ପଡ଼ିଯିବା ସମ୍ଭାବନା ରହିଛି। ଫଳରେ ଲୋକେ ଉକ୍ତ ୫୯ ନଂ ଜାତୀୟ ରାଜପଥ ଉପରେ ଯାତାଯାତ କରିବାକୁ ଭୟ କରୁଛନ୍ତି।  ସମସ୍ତ ଗଛ ବିପଦସଙ୍କୁଳ ଅବସ୍ଥାରେ ରହିଥିଲେ ମଧ୍ୟ ଏହାର ସ୍ଥାନାନ୍ତର ଦାୟିତ୍ୱରେ ରହିଥିବା ଠିକାସଂସ୍ଥା ଅବହେଳା କରୁଥିବା ଅଭିଯୋଗ ହେଉଛି। ଗୋଟିଏ ପଟେ ବାତ୍ୟା ଫନୀରେ ଗଛ ପଡ଼ି ଲୋକଙ୍କ ଜନଜୀବନ ନଷ୍ଟ ହୋଇଥିବା ବେଳେ ଏଠାରେ ଜାଣିଶୁଣି ଗଛ ଚାରିପାଖ ଖୋଳାଯାଇ ମାଟି ବାହାର କରାଯାଇଥିଲେ ସୁଦ୍ଧା ଲୋକ ଏବଂ ଗଛର ସୁରକ୍ଷା ଦୃଷ୍ଟିରୁ ଏହାକୁ ଶୀଘ୍ର ସ୍ଥାନାନ୍ତର କରାଯିବା ଆବଶ୍ୟକ ବୋଲି ଅଞ୍ଚଳର କାଳୀପ୍ରସାଦ ମଲ୍ଲିକଙ୍କ ସମେତ ସାମାଜିକ କର୍ମୀ ସୁରେଶ ବଳିଆରସିଂ ପ୍ରମୁଖ କହିଛନ୍ତି। ସେହିପରି ଗଛ ଚାରିପାଖରୁ ବାହାର କରାଯାଇଥିବା ମାଟିକୁ ମଧ୍ୟ ଜାତୀୟ ରାଜପଥ ଉପରେ ପକାଇ ଦିଆଯାଇଥିବାରୁ ଗାଡ଼ିମୋଟର ଯାତାୟାତରେ ସମସ୍ୟା ଦେଖାଯାଉଛି।  ତୁରନ୍ତ ଗଛଗୁଡ଼ିକୁ ସ୍ଥାନାନ୍ତର କରାଯିବା ସହ ରାଜପଥ ଉପରେ ପଡ଼ି ରହିଥିବା ମାଟି ହଟାଯିବାକୁ ସାଧାରଣରେ ଦାବି ହେଉଛି।  ଏନେଇ ଜାତୀୟ ରାଜପଥ ବିଭାଗ ବାଲିଗୁଡ଼ା ସେକ୍ସନର କନିଷ୍ଠଯନ୍ତ୍ରୀ ଜୟଦେବ ଦେଙ୍କ ସହ ଯୋଗାଯୋଗ କରାଯିବାରୁ ସେ କହିଛନ୍ତି ଯେ, ବାଲିଗୁଡ଼ାଠାରୁ ଦାରିଙ୍ଗବାଡ଼ି ମଧ୍ୟରେ ପ୍ରାୟ ୧ ହଜାର ଗଛ ସ୍ଥାନାନ୍ତର କରାଯିବା ବ୍ୟବସ୍ଥା କରାଯାଉଛି। ଅଦ୍ୟାବଧି ୪୦ ପ୍ରତିଶତ  ବଡ଼ ଗଛକୁ ସ୍ଥାନାନ୍ତର କରାଯାଇଛି।  ବଳକା ଖୁବ୍‌ ଶୀଘ୍ର ସ୍ଥାନାନ୍ତର କରାଯିବ ବୋଲି କହିଛନ୍ତି।