ଗଜପତିରେ ହାତୀ, ବାଘ ଆତଙ୍କ ୨୪ଘଣ୍ଟା ପହରା ଦେଉଛି ବନ ବିଭାଗ

ପାରଳାଖେମୁଣ୍ଡି(ଗିରିଧାରୀ ପରିଛା):୨୭ା୧୧-ଗଜପତି ଜିଲାରେ ହାତୀ, ବାଘ ଭୟ ଲୋକମାନଙ୍କୁ ଆତଙ୍କିତ କରି ପକାଇଛି। କାଶୀନଗର ବ୍ଲକ ଅନ୍ତର୍ଗତ ବୁଦୁରା ପଞ୍ଚାୟତର ୱାନାଗୁଡା ଗ୍ରାମ ପାହାଡ଼ ଅଞ୍ଚଳରେ ୪ଟିକିଆ ହାତୀ ପଲ ବୁଲୁଥିଲା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ରବିବାର ହାତୀପଲ ଖାଣ୍ଡବା ଅଞ୍ଚଳରେ ରହିଥିବା ବେଳେ ସୋମବାର ଗୋରିବନ୍ଧା ଅଞ୍ଚଳରେ ଚଳପ୍ରଚଳ କରୁଛନ୍ତି । ବର୍ତ୍ତମାନ ଧାନ ଫସଲ ଅମଳ ସମୟ ହୋଇଥିବାରୁ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି ।
ବର୍ତ୍ତମାନ ବର୍ଷା ଅଭାବ ପାଇଁ ମରୁଡ଼ି ସ୍ଥିତି ଥିଲା ବେଳେ ଯାହା କିଛି ଧାନ ହୋଇଛି ସେ ସବୁକୁ ଏହି ହାତୀ ପଲ ଦଳି ଦେବାର ଭୟ ସୃଷ୍ଟି କରୁଛି। ସୂଚନା ପାଇ ସ୍ଥାନୀୟ ବନ ବିଭାଗ ଅଧିକାରୀ ଏସ୍‌.କେ. ବେହେରା, ଫରେଷ୍ଟର, ଫରେଷ୍ଟ ଗାର୍ଡ, ଗଜ ସାଥୀ, ହାତୀ ସ୍କ୍ବାର୍ଡ ହାତୀପଲର ଗତିବିଧି ଉପରେ ନଜର ରଖିଛନ୍ତି। ଉକ୍ତ ସ୍ଥାନରେ କାଶୀନଗର ଓ ଗାଇବା ବନବିଭାଗର କର୍ମଚାରୀମାନେ ଉପସ୍ଥିତ ଥିବା କାଶୀନଗର ବନବିଭାଗ ଅଧିକାରୀ ବେହେରା କହିଛନ୍ତି। ସେପଟେ ହାତୀକୁ ନେଇ ଆତଙ୍କିତ ଗ୍ରାମବାସୀ କବାଟ ବନ୍ଦ କରି ଘରେ ରହୁଛନ୍ତି। ଏପରି କି କୌଣସି କାମ ପଡ଼ିଲେ ବାହାରକୁ ଯିବାକୁ ବି ଭୟ କରୁଛନ୍ତି ଲୋକେ। ହାତୀପଲକୁ ବିରକ୍ତ ନ କରିବାକୁ ବନ ବିଭାଗ ଜନସାଧାରଣଙ୍କୁ ସଚେତନତା କରୁଛି।
ତେବେ ଏକ ମାସରୁ ଊର୍ଦ୍ଧ୍ୱ ହେଲା ମହାବଳ ବାଘ ପାଇଁ ଚିନ୍ତାରେ ଥିବା ବନ ବିଭାଗ ଏବେ ୪ଜଣିଆ ହାତୀପଲକୁ ନେଇ ଚିନ୍ତାରେ ପଡିଛି। ଗତ ୨୨ତାରିଖରେ ବନ ବିଭାଗ ପକ୍ଷରୁ ଖଞ୍ଜାଯାଇଥିବା ଟ୍ରାପ କ୍ୟାମେରାରେ ବାଘର ଚିତ୍ର କଏଦ ହୋଇଥିବା ବେଳେ ୨୩ତାରିଖରୁ କ୍ୟାମେରାରେ କୌଣସି ସୁରାକ ମୁଳିନି । ତେଣୁ ବାଘର ବର୍ତ୍ତମାନର ସ୍ଥିତି ସ୍ପଷ୍ଟ ହେଉ ନ ଥିବାରୁ ବନ ବିଭାଗ ଅଧିକାରୀଙ୍କୁ ଚିନ୍ତାରେ ପକାଇଛି । ଗତ ୭ ଦିନ ହେଲା ରାୟଗଡ ଅଞ୍ଚଳର କୌଣସି ଗୋଟିଏ ସ୍ଥାନରେ ବାଘ ରହିଥିବା ସୂଚନା ଦେଇଛନ୍ତି ଏସିଏଫ୍‌ ଅଶୋକ କୁମାର ବେହେରା । ଏବେ ୪ଜଣିଆ ହାତୀପଲ ଗତ ତିନିଦିନ ହେଲା କାଶୀନଗର ବ୍ଲକରେ ଆତଙ୍କ ସୃଷ୍ଟି କରିଛି ।