‘ଗଜ୍‌ନବୀ’ପରୀକ୍ଷା କଲା ପାକିସ୍ତାନ

ଜମ୍ମୁ-କଶ୍ମୀର ସମ୍ପର୍କିତ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ପରେ ଭାରତକୁ ବାରମ୍ବାର ଆଣବିକ ଅସ୍ତ୍ର ପ୍ରୟୋଗର ଧମକ ଦେଇ ଯୁଦ୍ଧ ଭୟ ଦେଖାଉଥିବା ପାକିସ୍ତାନ ଶେଷରେ ଏକ କ୍ଷେପଣାସ୍ତ୍ର ପରୀକ୍ଷା କରିଛି। ଗଜ୍‌ନବୀ ନାମକ ଏହି ସ୍ବଳ୍ପ ଦୂରଗାମୀ ମିସାଇଲ୍‌ର ପରୀକ୍ଷଣକୁ ଭାରତ କିମ୍ବା ଅନ୍ତର୍ଜାତୀୟ ସମୁଦାୟ ଗୁରୁତ୍ୱ ଦେଇ ନ ଥିବାବେଳେ ପାକିସ୍ତାନୀ ସେନା ଓ ଶୀର୍ଷ ନେତୃବୃନ୍ଦ ଏହାକୁ ଏକ ବଡ଼ ସଫଳତା ବୋଲି ବିବେଚନା କରି ଆମତ୍ସନ୍ତୋଷ ଲାଭ କରିଛନ୍ତି। ଭାରତ ବିରୋଧୀ ଅପପ୍ରଚାରରେ ସବୁ ମଞ୍ଚରେ ବିଫଳ ହୋଇଥିବା ଇସ୍‌ଲାମାବାଦର ଏହି ପଦକ୍ଷେପ ପାକିସ୍ତାନୀମାନଙ୍କୁ ଖୁସି କରିବା ପାଇଁ ଉଦ୍ଦିଷ୍ଟ ବୋଲି କୁହାଯାଉଛି।

ଇସ୍‌ଲାମାବାଦ,୩୦-୮ (ଆଇଏଏନ୍‌ଏସ୍‌):ପାକିସ୍ତାନ ବୁଧବାର ରାତିରେ ଭୂପୃଷ୍ଠରୁ ଭୂପୃଷ୍ଠକୁ ଲକ୍ଷ୍ୟଭେଦ କରିପାରୁଥିବା ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ‘ଗଜ୍‌ନବୀ’ର ସଫଳ ପରୀକ୍ଷା କରିଛି। ଇଣ୍ଟର ସର୍ଭିସେସ୍‌ ପବ୍ଲିକ୍‌ ରିଲେଶନ୍ସ (ଆଇଏସ୍‌ପିଆର୍‌)ର ମହାନିର୍ଦ୍ଦେଶକ ମେଜର ଜେନେରାଲ ଅସିଫ୍‌ ଗଫୁର ଏହି ସୂଚନା ଦେଇଛନ୍ତି। କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ୨୯୦ କିଲୋମିଟର ରହିଥିବାବେଳେ ଏହା ବିଭିନ୍ନ ପ୍ରକାର ଯୁଦ୍ଧାସ୍ତ୍ର ବହନ କରିପାରିବ।
ଗତ ମେ ମାସରେ ପାକ୍‌ ସେନା ଶାହିନ୍‌-୨ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ପରୀକ୍ଷା କରିଥିଲା, ଯାହାର ଲକ୍ଷ୍ୟଭେଦ କ୍ଷମତା ୧୫୦୦ କିଲୋମିଟର ରହିଛି। ଏହି କ୍ଷେପଣାସ୍ତ୍ର ଉଭୟ ପାରମ୍ପରିକ ଓ ଆଣବିକ ଅସ୍ତ୍ର ବହନ କରିପାରିବ। ଏହା ପୂର୍ବରୁ ମାର୍ଚ୍ଚରେ ପାକ୍‌ ବାୟୁସେନା ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘ସ୍ମାର୍ଟ ଓ୍ବିପନ୍‌’ଜେଏଫ୍‌-୧୭ ଯୁଦ୍ଧବିମାନରୁ ପରୀକ୍ଷା କରିଥିଲା। ଜାନୁୟାରୀରେ ମଧ୍ୟ ପାକିସ୍ତାନ ନୂତନ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ‘ନସ୍‌ର’ ପରୀକ୍ଷା କରିଥିଲା।
ରାତିରେ ପରୀକ୍ଷା କରାଯାଇଥିବା ଗଜନବୀର ଏକ ଭିଡିଓ ଟୁଇଟରରେ ଶେୟାର କରିଛନ୍ତି ଗଫୁର। ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଗଜନ୍‌ବୀ ହେଉଛି ସ୍କଡ୍‌ ପ୍ରଜାତି ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ରର ବିକଶିତ ରୂପ। ଏହା ପାରମ୍ପରିକ, ଅତ୍ୟଧିକ ବିସ୍ଫୋରକ (ଏଚ୍‌ଇ) ଏବଂ ଆଣବିକ ଯୁଦ୍ଧାସ୍ତ୍ର ବହନ କରିବା କ୍ଷମତା ରଖିଛି। ଗଜ୍‌ନବୀର ସଫଳ ପରୀକ୍ଷାକୁ ନେଇ ତିନିବାହିନୀର ମୁଖ୍ୟ ଏବଂ ଷ୍ଟାଫ୍‌ କମିଟି ଯୁଗ୍ମ ମୁଖ୍ୟମାନଙ୍କ ଅଧ୍ୟକ୍ଷ ବିଶେଷଜ୍ଞ ଟିମ୍‌କୁ ଅଭିନନ୍ଦନ ଜଣାଇଛନ୍ତି। ରାଷ୍ଟ୍ରପତି ଅରିଫ୍‌ ଅଲଓ୍ବି ଏବଂ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଉକ୍ତ ଟିମ୍‌କୁ ପ୍ରଶଂସା କରିଛନ୍ତି। ପାକିସ୍ତାନ ଏହି କ୍ଷେପଣାସ୍ତ୍ର ପରୀକ୍ଷଣ ପୂର୍ବରୁ ଭାରତକୁ ଅବଗତ କରାଇଥିଲା ବୋଲି ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରବୀଶ୍‌ କୁମାର ସୂଚନା ଦେଇଛନ୍ତି।

Share