ଗଞ୍ଜାମରେ କଣ୍ଟ୍ରୋଲ ଚାଉଳ ନେବାବେଳେ ରହୁନି ସାମାଜିକ ଦୂରତ୍ୱ: ପ୍ରଶାସନ ଦୃଷ୍ଟି ଦେବାକୁ ଦାବି

ଗଞ୍ଜାମ, ୬।୪(ଡି.ଏନ୍‌.ଏ. ): ରାଜ୍ୟରେ କରୋନା(କୋଭିଡ-୧୯) ସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ରାଜ୍ୟ ବାହାରୁ ତଥା ସୁରଟରୁ ଆସିଥିବା ଲୋକଙ୍କ ପାଇଁ ଗଞ୍ଜାମ ଜିଲାରେ ପ୍ରଶାସନକୁ ନାକେଦମ ହେବାକୁ ପଡିଛି l ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ ଶେଷ ବେଳକୁ ଗଞ୍ଜାମ ଜଲାରେ କରୋନା ପଜିଟିଭି ଆରମ୍ଭହୋଇଥିବା ବେଳେ ଏବେ ଏହି ସଂଖ୍ୟା ୪ରେ ପହଞ୍ଚିଛି। ଅନ୍ୟପଟେ ଓଡ଼ିଶାରେ ୨ କରୋନା ପଜିଟିଭଙ୍କ ମୃତ୍ୟ ଘଟିଲାଣି l ଏଥିପାଇଁ ସରକାର ଓ ଜିଲା ପ୍ରଶାସନର ଚିନ୍ତା ବଢିଯାଇଛି। ଏପରିସ୍ଥଳେ ମାସ୍କ ବ୍ୟବହାର, ବାହାରେ ଛେପ ନ ପକାଇବା ଓ ସାମାଜିକ ଦୂରତ୍ୱ ଅବଲମ୍ବନ କରିବାକୁ ଜିଲା ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି। କିନ୍ତୁ କିଛି ସ୍ଥାନରେ ଏହାର ବ୍ୟତିକ୍ରମ ହେଉଥିବା ଦେଖିବାକୁ ମିଳୁଛି l ଗଞ୍ଜାମ ଏନ୍‌ଏସି ଅଞ୍ଚଳରେ କଣ୍ଟ୍ରୋଲ ଚାଉଳ ନେବାକୁ ଆସୁଥିବା ଲୋକେ ସାମାଜିକ ଦୂରତ୍ୱକୁ ମାନୁ ନ ଥିବା ଦେଖିବାକୁ ମିଳୁଛି। ଏଥିପାଇଁ ଜିଲା ପ୍ରଶାସନ ଦୃଷ୍ଟି ଦେବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି। ଏ ସମ୍ପର୍କରେ ବଡିଓ ଜ୍ୟୋତି ଶଙ୍କର ରାୟଙ୍କୁ ପଚାରିବାରୁ ସେ କୁହନ୍ତି, ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ କଥା ହେବା ପରେ ପଦକ୍ଷେପ ନିଆଯିବ।