ଗଞ୍ଜାମରେ ଘରକୁ ଘର ବୁଲି ଯାଞ୍ଚ ପ୍ରକ୍ରିୟା ଜାରି: ତୃତୀୟ ଦିନରେ ଜିଲାପାଳଙ୍କ ପରିବାରର ଯାଞ୍ଚ କଲା ଟିମ୍‌, ଦୁଇଦିନରେ ୩,୭୫୯ଜଣ ସାମାନ୍ୟ ଥଣ୍ଡା ଆକ୍ରାନ୍ତ ଚିହ୍ନଟ

ଛତ୍ରପୁର, ୧୧।୪(ଡି.ଏନ୍‌.ଏ.)- ଗଞ୍ଜାମ ଜ଼ିଲାରେ ଘରକୁ ଘର ଯାଇ ଲୋକମାନଙ୍କ ସ୍ବାସ୍ଥ୍ୟ ଯାଞ୍ଚ ସହ ସେମାନଙ୍କ ତଥ୍ୟ ସଂଗ୍ରହ କରାଯାଉଛି। ଏନେଇ ଗଠିତ ଟିମ୍‌ ଶନିବାର ଏହାର ୩ ଦିନରେ ଜ଼ିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ବାସଭବନକୁ ଯାଇ ତାଙ୍କ ପରିବାରର ସ୍ବାସ୍ଥ୍ୟ ଯାଞ୍ଚ କରିଥିବା ସୂଚନା ମିଳିଛି।

ଗତ ୨ ଦିନ ମଧ୍ୟରେ ଗଞ୍ଜାମ ଜ଼ିଲାର ୪ ଲକ୍ଷ ୪ ହଜାର ୩୩୦ ଘରକୁ ଯାଇ ଗଠିତ ଟିମ ସ୍ବାସ୍ଥ୍ୟ ଯାଞ୍ଚ କରିସାରିଲେଣି। ଉକ୍ତ ଘର ମାନଙ୍କରେ ଥିବା ଲୋକଙ୍କ ମଧ୍ୟରୁ ୩ ହଜାର ୭୫୯ଜଣ ଙ୍କୁ ସାମାନ୍ୟ ସର୍ଦ୍ଦି ହୋଇଥିବା ଯାଞ୍ଚ ପରେ ଆସିଥିବା ରିପୋର୍ଟରୁ ଜଣାପଡିଛ। ଏମାନଙ୍କୁ ଡାକ୍ତରୀ ପରାମର୍ଶ ନେଇ ଔଷଧ ଖାଇବାକୁ ପରାମର୍ଶ ଦିଆଯାଇଛି। ୩ ଦିନ ମଧ୍ୟରେ ଗଞ୍ଜାମ ଜ଼ିଲାର ସମସ୍ତ ଘରକୁ ଯାଇ ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରିବାକୁ ଜ଼ିଲାପାଳ ନିର୍ଦ୍ଦେଶ ଦେଇଥିଲେ। ଏହି ରିପୋର୍ଟକୁ ଆଧାର କରି କାହାର ସ୍ବାସ୍ଥ୍ୟ ଖରାପ ଥିଲେ ଏ ସମ୍ପର୍କରେ ସ୍ବାସ୍ଥ୍ୟ ବିଭାଗକୁ ଅବଗତ କରାଯିବ। ପରେ ସ୍ବାସ୍ଥ୍ୟବିଭାଗର ଟିମ ଉକ୍ତ ବ୍ୟକ୍ତିଙ୍କୁ ତାଙ୍କୁ ଘରୁ ଆମ୍ବୁଲାନ୍ସ ଯୋଗେ ଆଣି ଚିକିତ୍ସା କରିବାର ବ୍ୟବସ୍ଥା କରିବେ ବୋଲି କହିଥିଲେ। ଏନେଇ ଗଠିତ ଟିମ୍‌ରେ ଅଙ୍ଗନବାଡି କର୍ମୀ, ଆଶାକର୍ମୀ, ଏଏନ୍‌ଏମ୍‌, ଶିକ୍ଷକ ରହିଛନ୍ତି। ସେମାନେ ଜିଲାର ୭ ଲକ୍ଷ ପରିବାରର ୪୦ ଲକ୍ଷ ଲୋକଙ୍କ ସ୍କ୍ରିନିଂ କରାଯିବ ବୋଲି ଜଣାପଡ଼ିଛି।

Share